Thursday, September 14, 2017

ଜଟିଳ ବିଷୟବସ୍ତୁର ସାବଲୀଳ ଉପସ୍ଥାପନ

ନ୍ୟୂୟର୍କରୁ ପ୍ରକାଶିତ ନ୍ୟୂୟର୍କର କେବଳ ଯୁକ୍ତରାଷ୍ଟ୍ର ଆମେରିକା କାହିଁକି, ସମଗ୍ର ବିଶ୍ୱର ଆଗଧାଡ଼ିର ପତ୍ରିକାମାନଙ୍କ ମଧ୍ୟରେ ଅନ୍ୟତମ l ୧୯୨୫ ମସିହାରୁ କ୍ରମାଗତଭାବେ ପ୍ରକାଶିତ ସାପ୍ତାହିକ ନ୍ୟୂୟର୍କର ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତି ଓ ସାଂସ୍କୃତିକ ରାଜଧାନୀ ନ୍ୟୂୟର୍କର ପାଠକ ମହଲରେ ଲୋକପ୍ରିୟ ବୌଦ୍ଧିକ ପତ୍ରିକାରୂପେ ସମର୍ଥିତ l ଏହାର ମୁଦ୍ରିତ ସଂସ୍କରଣର ପ୍ରସାର ସଂଖ୍ୟା ପ୍ରାୟ ଦଶ ଲକ୍ଷ l ଏଥିରେ ନ୍ୟୂୟର୍କ ସହର ଘଟଣାପ୍ରବାହ ବିବରଣୀ ସାଙ୍ଗକୁ ପ୍ରକାଶିତ ପୁସ୍ତକ, ମଞ୍ଚସ୍ଥ ନାଟକ, ପ୍ରଦର୍ଶିତ ଚ଼ିତ୍ରକଳା ଓ ଚଳଚ଼ିତ୍ର ଇତ୍ୟାଦିର ସମୀକ୍ଷା ସ୍ଥାନ ପାଇଥାଏ l ଏତଦ୍ ବ୍ୟତୀତ ପ୍ରବନ୍ଧ, ସାହିତ୍ୟ ଓ ନନଫିକସନ ମଧ୍ୟ ସନ୍ନିବେଶିତ ହୋଇଥାଏ l
ନ୍ୟୂୟର୍କର ମୋର ଅନ୍ୟତମ ପ୍ରିୟ ପତ୍ରିକା l ସମୟାନ୍ତେ ମେଟ୍ରୋ-ଟୁର ଅବଧିରେ କୋଲକାତାର ଆମେରିକାନ ଲାଇବ୍ରେରୀରେ ପୁରୁଣା ନ୍ୟୂୟର୍କରର ପୃଷ୍ଠା ସାଉଁଟିବାରେ ମୋର ଅର୍ଦ୍ଧେକ ଅଧ୍ୟୟନ ସମୟ ବିତିଥାଏ l ଗତ କିଛି ଦିନରୁ ଇ-ମେଲ ନିଉଜଲେଟର ପ୍ରଚଳନ ପରେ ନ୍ୟୂୟର୍କରର ଦୈନିକ ଡ଼ିଜିଟାଲ ସଂସ୍କରଣ ମୋ ଇନବକ୍ସରେ ପାଇବା ସୌଭାଗ୍ୟ ମିଳିଛି l ଫଳରେ ପତ୍ରିକାଟିର ସାପ୍ତାହିକ ମୁଦ୍ରିତ ସଂସ୍କରଣରେ ପ୍ରକାଶିତ କେତେକ ମୁଖ୍ୟ ରଚ଼ନା ଏମବେଡ଼େଡ଼ ପ୍ରଣାଳୀରେ ପାଠ କରିବା ସୁଯୋଗ ଉପଲବ୍ଧ ହୋଇପାରୁଛି l ଅବଶ୍ୟ ଏହି ସୁବିଧା ମାସିକ ମାତ୍ର କେତେଗୋଟି ରଚ଼ନାକୁ କ୍ଳିକରେ ସୀମିତ ରହେ l ପୁରା ପତ୍ରିକା ପାଇବା ପାଇଁ ପତ୍ରିକାର ଡ଼ିଜ଼ିଟାଲ ସଂସ୍କରଣର ଗ୍ରାହକ ଶ୍ରେଣୀଭୁକ୍ତ ହେବାକୁ ପଡ଼େ l
ନ୍ୟୂୟର୍କର ୨୦୧୭ ମସିହା ସେପ୍ଟେମ୍ୱର ୧୧ ତାରିଖ ମୁଦ୍ରିତ ସଂସ୍କରଣରେ ପ୍ରକାଶିତ ସିଦ୍ଧାର୍ଥ ମୁଖାର୍ଜୀଙ୍କ କ୍ୟାନସର ସଂପର୍କୀତ ଏକ ରଚ଼ନା ସେପ୍ଟେମ୍ୱର ୬ ତାରିଖ ଦିନ ପଢ଼ିବାର ସୁଯୋଗ ପାଇଥିଲି l ସିଦ୍ଧାର୍ଥ ମୁଖାର୍ଜୀଙ୍କ ନାମ ୨୦୧୧ ମସିହାରେ କ୍ୟାନସର ସଂପର୍କରେ ନନଫିକସନ ପୁସ୍ତକ ପାଇଁ ପୁଲିଜର ପୁରସ୍କାର ପାଇବା ଅବସରରେ ବେଶ ଚର୍ଚ୍ଚିତ ହୋଇଥିଲା l ତେବେ ଦି ଏମ୍ପରର ଅଫ ଆଲ ମେଲାଡ଼ିସ : ଏ ବାୟୋଗ୍ରାଫି ଅଫ କ୍ୟାନସର ଭଳି ପୁସ୍ତକ ପଢ଼ିବା ନିମନ୍ତେ ସମୟ ବାହାର କରିପାରି ନଥିଲି l ଏ ଯାଏଁ ସେହି ପୁସ୍ତକ ପଢ଼ିବା ମୋର ୱିସଲିଷ୍ଟରେ ରହିଆସିଛି l
୨୦୧୬ ଖରାଦିନ କୋଲକାତା-ଟୁର ଅବସରରେ ନ୍ୟୂୟର୍କରର ସଂଭବତଃ ଫେବୃୟାରୀ ମାସ ସଂଖ୍ୟାରେ ସିଦ୍ଧାର୍ଥ ମୁଖାର୍ଜୀଙ୍କ ପ୍ରକାଶନ୍ମୁଖୀ ତୃତୀୟ ପୁସ୍ତକ ଜିନର ଏକ ଏକଷ୍ଟ୍ରାଟ ପଢ଼ିବାର ସୁଯୋଗ ମିଳିଥିଲା l ସେଥିରେ ସେ ନିଜ ପରିବାର ଉଦାହରଣ ଦେଇ ମାନସିକ ରୋଗ କିପରି ବଂଶଗତଭାବେ ସଂପ୍ରସାରିତ ହୋଇଥାଏ ଏବଂ ଜିନ ଉପରେ ନିର୍ଭରଶୀଳ ତାହା ପ୍ରାଞ୍ଜଳଭାବେ ବର୍ଣ୍ଣନା କରିଥିଲେ l ବ୍ରହ୍ମପୁର ଫେରି ଭ୍ରମଣ ଅଭିଜ୍ଞତା ବର୍ଣ୍ଣନାରେ ମୋର ଜଣେ ବିଲଡ଼ର ବନ୍ଧୁଙ୍କୁ ଏ ସଂପର୍କରେ କହିଥିଲି l ପୁସ୍ତକଟି ମେ ମାସରେ ଭାରତରେ ପ୍ରକାଶିତ ହେଲା l ବିଲଡ଼ର ବନ୍ଧୁ ଆମେଜନରୁ ଖଣ୍ଡିଏ ହାର୍ଡ଼ବାଉଣ୍ଡ ପୁସ୍ତକ କିଣି ଆଣି ମୋତେ ପଢିବାକୁ ଦେଇଥିଲେ l ସେଠାରୁ ସିଦ୍ଧାର୍ଥ ମୁଖାର୍ଜୀଙ୍କ ଲେଖାସହ ମୋର ପରିଚ଼ିତି l
ସିଦ୍ଧାର୍ଥ ନୂଆଦିଲ୍ଲୀରେ ଜନ୍ମିତ ନ୍ୟୂୟର୍କରେ ଅବସ୍ଥାପିତ ୪୬ ବର୍ଷ ବୟସ୍କ କ୍ୟାନସର ଚ଼ିକିତ୍ସକ l ସେ କଲମ୍ୱିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ରୂପେ କାର୍ଯ୍ୟରତ l ଷ୍ଟାନଫୋର୍ଡ଼, ଅକ୍ସଫୋର୍ଡ ଓ ହାରୱାର୍ଡ଼ରେ ପ୍ରଶିକ୍ଷିତ ସିଦ୍ଧାର୍ଥ କ୍ୟାନସର ଓ ଜିନ ଉପରେ ଗବେଷଣାରତ ଏବଂ ଏହି ଦୁଇ ବିଷୟ ସମେତ ୨୦୧୫ରେ ଦି ଲ ଅଫ ମେଡ଼ିସେନ : ଫିଲଡ଼ ନୋଟସ ଫ୍ରମ ଏନ ଅନସଟର୍ନି ସାଇନ୍ସ ନାମକ ଏକ ପୁସ୍ତକ ପ୍ରକାଶ କରିଛନ୍ତି l
ସିଦ୍ଧାର୍ଥଙ୍କ ରଚ଼ନାଶୈଳୀର ବିଶେଷତ୍ୱ କ୍ୟାନସର ବା ଜିନ ଭଳି ଚ଼ିକିତ୍ସା ବିଜ୍ଞାନର ଅତ୍ୟାଧୁନିକ ତଥା ଜଟିଳ ତତ୍ତ୍ୱମାନ ସାଧାରଣ ପାଠକଙ୍କ ନିମନ୍ତେ ଦୃଷ୍ଟିଆକର୍ଷକ ତଥା ବୋଧଗମ୍ୟ ଭାଷାରେ ଉପସ୍ଥାପନ କରିବା ଦକ୍ଷତାରେ ପର୍ଯ୍ୟବେସିତ l ତାଙ୍କରି ରଚ଼ନା ଅନୁଶୀଳନ କରିବାଦ୍ୱାରା ଆଗ୍ରହୀ ସାମ୍ୱାଦିକମାନେ ଏକପକ୍ଷରେ ସାଂପ୍ରତିକ ଚ଼ିକିତ୍ସା ବିଜ୍ଞାନରେ ଚର୍ଚ୍ଚିତ କେତେକ ନୂତନ ଦିଗ ସଂପର୍କରେ ଅବହିତ ହୋଇପାରିବେ ଏବଂ ଅନ୍ୟପକ୍ଷରେ ଅତ୍ୟନ୍ତ ଜଟିଳ ବିଷୟବସ୍ତୁ କିପରି ବୋଧଗମ୍ୟ ସାବଲୀଳ ଭାବେ ଉପସ୍ଥାପନ କରିହୁଏ ସେହିଭଳି ଶୈଳୀର ଉଦାହରଣ ସହ ପରିଚ଼ିତ ହୋଇପାରିବେ l
ଏଭଳି ରଚ଼ନା ପ୍ରସ୍ତୁତି ଅବସରରେ କେତେଗୋଟି ଦିଗପ୍ରତି ଆମକୁ ପ୍ରଥମରୁ ସଜାଗ ରହିବାକୁ ପଡ଼ିବ l ପ୍ରଥମତଃ ଏକ ବୃହତପାଠକ ଶ୍ରେଣୀଙ୍କଠାରେ ପହଞ୍ଚିବାକୁ ହେଲେ ରଚ଼ନାର ବିଷୟବସ୍ତୁ ସମସାମୟିକ, ଦୃଷ୍ଟିଆକର୍ଷଣକାରୀ ଏବଂ ସର୍ବସାଧାରଣ ଜ୍ଞାନପରିସର ବୃଦ୍ଧି ଲାଗି ଉପଯୋଗୀ ହୋଇଥିବା ଆବଶ୍ୟକ l ଏସବୁ ବିଭବ ବିନା ପତ୍ରପତ୍ରିକା ପାଇଁ ରଚ଼ନା ଅସଂଭବ l ଯେକୌଣସି ଗବେଷଣାଭିତ୍ତିକ ରଚ଼ନା ବିଷୟଭିତ୍ତିକ ଜର୍ଣ୍ଣାଲ ପାଇଁ ଉପଯୁକ୍ତ ହୋଇପାରେ, କିନ୍ତୁ ବହୁଳ ପ୍ରସାରିତ ପତ୍ରପତ୍ରିକାରେ ସ୍ଥାନିତ କରାଯାଇପାରେନା l ଉପସ୍ଥାପନ ଶୈଳୀ ସଂପର୍କରେ ଜ୍ଞାନ ଆହରଣ ନିମନ୍ତେ ଉନ୍ନତମାନର ରଚ଼ନା ଅନୁଧ୍ୟାନ ଏକ ସରଳ ଉପାୟ l ଏ କ୍ଷେତ୍ରରେ ଅନ୍ୟାନ୍ୟ ବହୁବିଧ ପ୍ରଣାଳୀ ମଧ୍ୟ ବ୍ୟବହାର କରାଯାଇପାରେ, ସେଥିମଧ୍ୟରୁ ଏହା ଗୋଟିଏ l
ନ୍ୟୂୟର୍କର ୧୧ ସେପ୍ଟେମ୍ୱର ମୁଦ୍ରିତ ସଂସ୍କରଣରେ ପ୍ରକାଶିତ ସିଦ୍ଧାର୍ଥଙ୍କ କ୍ୟାନସର୍ସ ଇନଭେସନ ଇକ୍ୱେସନ ଶୀର୍ଷକ ଦୀର୍ଘ ରଚ଼ନାର ମୂଳ ତତ୍ତ୍ୱ ହେଲା କ୍ୟାନସର ଟ୍ୟୁମରକୁ ଅସ୍ତ୍ରୋପଚ଼ାର ଦ୍ୱାରା ସଂପୂର୍ଣ୍ଣ ଅପସାରଣ କରିଦେଲେ ସୁଦ୍ଧା କ୍ୟାନସର ସେଲ ଶରୀରର ଅନ୍ୟାନ୍ୟ ଅଂଶରେ ନିଷ୍କ୍ରିୟ ଅବସ୍ଥାରେ ରହୁଥିବା ଦେଖାଯାଉଛି l ଆକ୍ରାନ୍ତ ବ୍ୟକ୍ତିର ଜିନ ଓ ପରିବେଶ ପ୍ରଭାବରେ ସ୍ଥଳବିଶେଷରେ ସେହି ସେଲଗୁଡ଼ିକ ମେଟାଷ୍ଟାଟିକ ଅବସ୍ଥା ସୃଷ୍ଟି କରିଥାନ୍ତି l ମୂଳ ଟ୍ୟୁମର ତୁଳନାରେ ମେଟାଷ୍ଟାଟିସେସ କାରଣରୁ ଅଧିକ କ୍ୟାନସର ରୋଗୀ ମୃତ୍ୟୁ ମୁଖରେ ପଡୁଥିବା ଗଣତି କରାଯାଉଛି l ତେଣୁ ଆଜିକାଲି ଆମେ ଟ୍ୟୁମର ଗୁଡ଼ିକୁ ପ୍ରାଥମିକସ୍ତରରେ ଚ଼ିହ୍ନଟ କରିପାରୁଥିଲେ ହେଁ ରୋଗାକ୍ରାନ୍ତର ଜୀବନରକ୍ଷା ସବୁ କ୍ଷେତ୍ରରେ ସମ୍ଭବପର ହୋଇପାରୁ ନାହିଁ l
***

No comments: