Friday, August 25, 2017

ଅଗ୍ରଣୀ ଓଡ଼ିଆ ସାମ୍ୱାଦିକ ମଣ୍ଡଳୀ

ଓଡ଼ିଆ ସାମ୍ୱାଦିକତାର ଗୁଣବତ୍ତା ବିକାଶକଳ୍ପେ ଏକ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ କରିବା ନିମନ୍ତେ ବ୍ୟକ୍ତିଗତସ୍ତରରେ ଦୀର୍ଘଦିନରୁ ଅଭିଳାଷ ରହି ଆସିଥିଲା l ତେବେ ତାହା ସମ୍ୱାଦପତ୍ର ପୃଷ୍ଠାରେ ଫିଚ଼ର ରଚ଼ନାରେ ହିଁ ସୀମିତ ରହୁଥିଲା l ସୋସିଆଲ ମିଡ଼ିଆର ପ୍ରସାର ଫଳରେ ଯୋଗାଯୋଗ ଓ ନେଟୱାର୍କ ସ୍ଥାପନ ନିମନ୍ତେ ସୁଯୋଗ ସୁବିଧା ତଥା ବିଶ୍ୱବିଦ୍ୟାଳୟ ଅଧ୍ୟାପନାରୁ ଅବସର ଗ୍ରହଣପରେ ସମୟ ବିନିଯୋଗର ସାମର୍ଥ୍ୟ ଏଥିଲାଗି ପ୍ରଶସ୍ତ କ୍ଷେତ୍ର ସୃଷ୍ଟି କରିପାରିଛି l
          ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକ ଶେଷ ଭାଗରେ ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ତଥା ବୈଷୟିକ ଜ୍ଞାନର ପ୍ରସାର ସମସାମୟିକ ଗଣମାଧ୍ୟମକୁ ଗଭୀରଭାବେ ପ୍ରଭାବିତ କରିଥିଲା l ଦ୍ୱିତୀୟ ଦଶକ ଆରମ୍ଭରୁ ଊଣାଅଧିକେ ଭାରତରେ ଏହି ପରିସ୍ଥିତି ପ୍ରତିବିମ୍ୱିତ ହେବାରେ ଲାଗିଲା l ତେବେ ଏଠାକାର ଭୌଗଳିକ ବିସ୍ତୃତି ଓ ବହୁଭାଷୀ ପରିବେଶ ଆନ୍ତର୍ଜାତିକ ପ୍ରେକ୍ଷାପଟର ଏକ ଭିନ୍ନ ପ୍ରତିଛବି ଅଙ୍କନ କରିଛି l ୨୦୧୯ ସାଧାରଣ ନିର୍ବାଚ଼ନ ବେଳକୁ ଦେଶର ଗଣମାଧ୍ୟମର ପରିବର୍ତ୍ତିତ ରୂପରେଖରେ ଏକ ରକମ ପୂର୍ଣ୍ଣତା ଆସିଯିବ ବୋଲି ଅନୁମାନ କରାଯାଉଛି l
          ଆନ୍ତର୍ଜାତିକ ଓ ଜାତୀୟ ପରିବର୍ତ୍ତନ ସ୍ରୋତରେ ଓଡ଼ିଆ ଗଣମାଧ୍ୟମ ସାମିଲହେବା ସ୍ୱାଭାବିକ l ଏହି ପରିପ୍ରେକ୍ଷୀରେ ସମକାଳୀନ ଗଣମାଧ୍ୟମର ଗତିପ୍ରକୃତି ସଂପର୍କରେ ବିଚ଼ାରବିମର୍ଷ ଓଡ଼ିଆ ଗଣମାଧ୍ୟମକୁ ଉଚ଼ିତ ଦିଗଦର୍ଶନ ପ୍ରଦାନରେ କେତେକାଂଶରେ ସହାୟକ ହୋଇପାରେ ବୋଲି ବିଚ଼ାର କରାଯାଇପାରେ l ଏଥିନିମନ୍ତେ ଏକ ବୌଦ୍ଧିକ ପରିବେଶ ସୃଷ୍ଟି କରିବା ନିମନ୍ତେ ମୋର ଉଦ୍ୟମ ଅଭିପ୍ରେତ l
          ବିଗତ ଦୁଇ ଦଶନ୍ଧି ଧରି ଓଡ଼ିଆ ସାମ୍ୱାଦିକତାର ଅବକ୍ଷୟ ଧାରା ନିମନ୍ତେ ମୁଁ ଯେତିକି ଚ଼ିନ୍ତିତ ନଥିଲି ସାମ୍ୱାଦିକତା ବିକାଶନିମନ୍ତେ ଉଦ୍ୟମ ଅଭାବ ମୋତେ ବ୍ୟଥିତ କରିଆସିଥିଲା l ଆନୁଷ୍ଠାନିକ ବିଶ୍ୱବିଦ୍ୟାଳୟ ଶିକ୍ଷାକ୍ରମରେ ଦୀର୍ଘ ୨୭ ବର୍ଷ ଧରି ସଂଶ୍ଳିଷ୍ଟ ରହିଥିଲେ ହେଁ ଏ ଦିଗରେ ଅସହାୟ ବୋଧ କରୁଥିଲି l
          ଏକ ପକ୍ଷରେ ବୃତ୍ତିଧାରୀ ସାମ୍ୱାଦିକଙ୍କଠାରୁ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣର ଦୂରତ୍ୱ ଓ ଅପରପକ୍ଷରେ ଆନୁଷ୍ଠାନିକ ଅନୁଶାସନ ସୃଜନଶୀଳ ଚ଼ିନ୍ତାଧାରା ପ୍ରୟୋଗ ନିମନ୍ତେ ଅନ୍ତରାୟ ସାଜୁଥିଲା l ବ୍ୟକ୍ତିଗତସ୍ତରରେ ପଠନକେନ୍ଦ୍ରୀକ ଜ୍ଞାନ ଆହରଣ ଭିନ୍ନ କାର୍ଯ୍ୟରତ ସାମ୍ୱାଦିକଙ୍କ ସହ ଭାବ ବିନିମୟର କୌଣସି ସୁବିଧା ସୁଯୋଗ ଅନ୍ତତଃପକ୍ଷେ ମୋ ଅକ୍ତିଆରରେ ଉପଲବ୍ଧ ନଥିଲା l ଆଧ୍ୟାପନାରୁ ବିଦାୟ ନେବାପରେ ଆଧୁନିକ ବୈଷୟିକ ସୁଯୋଗ, ଯଥା: ସୋସିଆଲ ମିଡ଼ିଆ ଉପଯୋଗରେ ଓଡ଼ିଆ ସାମ୍ୱାଦିକତା ବିକାଶ ନିମନ୍ତେ ଏକ ମଞ୍ଚ ପ୍ରସ୍ତୁତ ନିମନ୍ତେ କେତେକ ପୁରାତନ ଛାତ୍ରଙ୍କ ସହ ଆଲୋଚ଼ନା ଚଳାଇଥିଲି l
          ୨୦୧୭ ଜୁଲାଇ ମାସ ପ୍ରଥାମାର୍ଦ୍ଧରେ ବହୁଳ ପ୍ରସାରିତ ସମ୍ୱାଦପତ୍ର ସମ୍ୱାଦ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସମ୍ୱାଦଦାତାମାନଙ୍କ ଏକ ପ୍ରଶିକ୍ଷଣ କର୍ମଶାଳାରେ ଉଦ୍ ବୋଧନ ଦେବା ନିମନ୍ତେ ନିମନ୍ତ୍ରିତ ହୋଇଥିଲି l ଏହି ଭଳି ଏକ ରାଜ୍ୟସ୍ତରୀୟ ସମାବେଶରେ ମଧ୍ୟବୟସ୍କ ବୃତ୍ତିଧାରୀ ସାମ୍ୱାଦିକଙ୍କ ଦକ୍ଷତାବୃଦ୍ଧି ସଂପର୍କରେ ଆଲୋଚ଼ନା ପ୍ରସଙ୍ଗରେ ସ୍ୱକୀୟ ବିଚ଼ାରଧାରା ଉପସ୍ଥାପନ କରିଥିଲି l
          ବିଶ୍ୱବ୍ୟାପୀ ଗଣମାଧ୍ୟମ ପରିବର୍ତ୍ତନ ଧାରାରେ ଓଡ଼ିଆ ସାମ୍ୱାଦିକତା ପ୍ରଭାବିତ ହୋଇଚାଲିଛି ଏବଂ ନିକଟ ଭବିଷ୍ୟତରେ ଏହା ଉଗ୍ରରୂପ ଧାରଣ କରିବ l ପରିବର୍ତ୍ତିତ ପରିସ୍ଥିତି ସହ ସାମ୍ୱାଦିକମାନେ ନିଜକୁ ଖାପଖୁଆଇବା ନିମନ୍ତେ ନିଜର ଜ୍ଞାନପରିସର, କାର୍ଯ୍ୟଧାରା ଓ ବୈଷୟିକ ଦକ୍ଷତା ସଂପ୍ରସାରିତ କରିବା ବିଧେୟ l
          ଏଥିନିମନ୍ତେ ନିରନ୍ତର ଜୀବନବ୍ୟାପୀ ତାଲିମର ଆବଶ୍ୟକତା ରହିଛି l ପରିବର୍ତ୍ତିତ ପରିବେଶରେ ତାଲିମକୁ ସଂକୀର୍ଣ୍ଣଦୃଷ୍ଟିରେ ବିଚ଼ାରରୁ ଉର୍ଦ୍ଧ୍ୱମୁଖୀ ହୋଇ ଏହାକୁ ସେବାପ୍ରଦାନକାରୀଠାରୁ ବ୍ୟବହାର୍ଯ୍ୟ ଦକ୍ଷତା ଖରିଦଦାରୀ ପ୍ରକ୍ରିୟାରୂପେ ବିବେଚ଼ନା କରିବା ଆବଶ୍ୟକ l
          ମୋର ବକ୍ତବ୍ୟ ଉପସ୍ଥାପନାପର ତତ୍ କ୍ଷଣାତ ସର୍ବେକ୍ଷଣରେ କର୍ମଶାଳାରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ଏହି ଦୃଷ୍ଟିକୋଣକୁ ସମର୍ଥନ ଜଣାଇଥିଲେ l
          କଥା ଦେଇଥିଲି ଯେ ଓଡ଼ିଆ ସାମ୍ୱାଦିକତା କଳାକୌଶଳକୁ ନୂତନତ୍ୱରେ ଋଦ୍ଧିମନ୍ତ କରିବା ନିମନ୍ତେ ବ୍ୟକ୍ତିଗତସ୍ତରରେ କିଛି ଉଦ୍ୟମ ଆରମ୍ଭ କରିବି l ସେହି ପ୍ରତିଶୃତି ପାଳନରେ ଏହି ଇମେଲ-ନିଉଜ ଲେଟର ୨୦୧୭ ଗଣେଶ ଚ଼ତୁର୍ଥୀରୁ ଆରମ୍ଭ କରୁଛି l ସଂଭବତଃ ଓଡ଼ିଆ ଭାଷାରେ ଏହା ପ୍ରଥମ ଇ-ମେଲ ନିଉଜଲେଟର l
          ପ୍ରାଥମିକଭାବେ ସମ୍ୱାଦ କର୍ମଶାଳାରେ ଯୋଗଦେଇଥିବା ୩୭ ଜଣ ଜିଲ୍ଲାସ୍ତରୀୟ ସମ୍ୱାଦଦାତାଙ୍କ ସହ ଓଡ଼ିଆ ସାମ୍ୱାଦିକତାରେ ସଂପୃକ୍ତ ମୋର କିଛି ପୁରାତନ ଛାତ୍ରଛାତ୍ରୀ ତଥା ପରିଚ଼ିତ ପ୍ରାୟ ଦେଢ଼ଶହ ସାମ୍ୱାଦିକଙ୍କ ନିକଟକୁ ଏହି ଇମେଲ-ନିଉଜଲେଟର ପ୍ରେରଣ ବ୍ୟବସ୍ଥା କରୁଛି l ମୁଁ ସୋସିଆଲ ମିଡିଆ ଫେସବୁକରେ ରାଜ୍ୟର ଅଧିକାଂଶ ସାମ୍ୱାଦିକଙ୍କ ସହ ଯୋଡ଼ି ରହିଛି l ସେହି ମଞ୍ଚରେ ଏହି ଉଦ୍ୟମ ସଂପର୍କରେ ସୂଚ଼ନା ଦେଇ ଅଧିକ ସାମ୍ୱାଦିକଙ୍କ ନିକଟରେ ପହଞ୍ଚିବାକୁ ଚ଼େଷ୍ଟା କରିବି l
          ଏହି ଇମେଲ-ନିଉଜଲେଟର ସପ୍ତାହରେ ଥରେ ଶୁକ୍ରବାରଦିନ ପ୍ରକାଶିତ ହେବ l ଏଥିରେ ସମକାଳୀନ ସାମ୍ୱାଦିକତାର ଦିଗଦିଗନ୍ତ ସଂପର୍କରେ ମୋର ବ୍ୟକ୍ତିଗତ ବିଶ୍ଳେଷଣ ସ୍ଥାନ ପାଇବ l ଏଭଳି ଏକ ନିୟନ୍ତ୍ରିତ ପ୍ରସାରଣ ଓଡ଼ିଆରେ ଉଚ୍ଚମାନର ସାମ୍ୱାଦିକତା ବିକାଶ ପ୍ରତି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଦୃଷ୍ଟିଆକର୍ଷଣରେ ସହାୟକ ହୋଇପାରିବ ବୋଲି ବିଶ୍ୱାସ l
          ସମ୍ୱାଦ କର୍ମଶାଳାରେ ସଂପାଦକ ଡ଼କ୍ଟର ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ l ଓଡ଼ିଆ ସାମ୍ୱାଦିକତା କଳାକୌଶଳ ବିକାଶ ନିମନ୍ତେ ଏକ ଅଗ୍ରଣୀ ସାମ୍ୱାଦିକ ମଣ୍ଡଳୀ ଗଠନର ପ୍ରସ୍ତାବ ଶୁଣି ଏଠାରେ ଜଣେ ଅନ୍ୟଜଣକ ସହ ସହମତ ହୋଇନପାରୁଥିବା ବେଳେ ସାମୂହିକ ଉଦ୍ୟମ କେତେଦୂର ସଫଳ ହୋଇପାରିବ ବୋଲି ସନ୍ଦେହ ପ୍ରକାଶ କରିଥିଲେ l ସମକାଳୀନ ଓଡ଼ିଶୀ ପରିବେଶରେ ଡ଼କ୍ଟର ପଟ୍ଟନାୟକଙ୍କ ଟିପ୍ପଣୀର ଯଥାର୍ଥାତା ରହିଛି l
***