Thursday, September 14, 2017

ଜଟିଳ ବିଷୟବସ୍ତୁର ସାବଲୀଳ ଉପସ୍ଥାପନ

ନ୍ୟୂୟର୍କରୁ ପ୍ରକାଶିତ ନ୍ୟୂୟର୍କର କେବଳ ଯୁକ୍ତରାଷ୍ଟ୍ର ଆମେରିକା କାହିଁକି, ସମଗ୍ର ବିଶ୍ୱର ଆଗଧାଡ଼ିର ପତ୍ରିକାମାନଙ୍କ ମଧ୍ୟରେ ଅନ୍ୟତମ l ୧୯୨୫ ମସିହାରୁ କ୍ରମାଗତଭାବେ ପ୍ରକାଶିତ ସାପ୍ତାହିକ ନ୍ୟୂୟର୍କର ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତି ଓ ସାଂସ୍କୃତିକ ରାଜଧାନୀ ନ୍ୟୂୟର୍କର ପାଠକ ମହଲରେ ଲୋକପ୍ରିୟ ବୌଦ୍ଧିକ ପତ୍ରିକାରୂପେ ସମର୍ଥିତ l ଏହାର ମୁଦ୍ରିତ ସଂସ୍କରଣର ପ୍ରସାର ସଂଖ୍ୟା ପ୍ରାୟ ଦଶ ଲକ୍ଷ l ଏଥିରେ ନ୍ୟୂୟର୍କ ସହର ଘଟଣାପ୍ରବାହ ବିବରଣୀ ସାଙ୍ଗକୁ ପ୍ରକାଶିତ ପୁସ୍ତକ, ମଞ୍ଚସ୍ଥ ନାଟକ, ପ୍ରଦର୍ଶିତ ଚ଼ିତ୍ରକଳା ଓ ଚଳଚ଼ିତ୍ର ଇତ୍ୟାଦିର ସମୀକ୍ଷା ସ୍ଥାନ ପାଇଥାଏ l ଏତଦ୍ ବ୍ୟତୀତ ପ୍ରବନ୍ଧ, ସାହିତ୍ୟ ଓ ନନଫିକସନ ମଧ୍ୟ ସନ୍ନିବେଶିତ ହୋଇଥାଏ l
ନ୍ୟୂୟର୍କର ମୋର ଅନ୍ୟତମ ପ୍ରିୟ ପତ୍ରିକା l ସମୟାନ୍ତେ ମେଟ୍ରୋ-ଟୁର ଅବଧିରେ କୋଲକାତାର ଆମେରିକାନ ଲାଇବ୍ରେରୀରେ ପୁରୁଣା ନ୍ୟୂୟର୍କରର ପୃଷ୍ଠା ସାଉଁଟିବାରେ ମୋର ଅର୍ଦ୍ଧେକ ଅଧ୍ୟୟନ ସମୟ ବିତିଥାଏ l ଗତ କିଛି ଦିନରୁ ଇ-ମେଲ ନିଉଜଲେଟର ପ୍ରଚଳନ ପରେ ନ୍ୟୂୟର୍କରର ଦୈନିକ ଡ଼ିଜିଟାଲ ସଂସ୍କରଣ ମୋ ଇନବକ୍ସରେ ପାଇବା ସୌଭାଗ୍ୟ ମିଳିଛି l ଫଳରେ ପତ୍ରିକାଟିର ସାପ୍ତାହିକ ମୁଦ୍ରିତ ସଂସ୍କରଣରେ ପ୍ରକାଶିତ କେତେକ ମୁଖ୍ୟ ରଚ଼ନା ଏମବେଡ଼େଡ଼ ପ୍ରଣାଳୀରେ ପାଠ କରିବା ସୁଯୋଗ ଉପଲବ୍ଧ ହୋଇପାରୁଛି l ଅବଶ୍ୟ ଏହି ସୁବିଧା ମାସିକ ମାତ୍ର କେତେଗୋଟି ରଚ଼ନାକୁ କ୍ଳିକରେ ସୀମିତ ରହେ l ପୁରା ପତ୍ରିକା ପାଇବା ପାଇଁ ପତ୍ରିକାର ଡ଼ିଜ଼ିଟାଲ ସଂସ୍କରଣର ଗ୍ରାହକ ଶ୍ରେଣୀଭୁକ୍ତ ହେବାକୁ ପଡ଼େ l
ନ୍ୟୂୟର୍କର ୨୦୧୭ ମସିହା ସେପ୍ଟେମ୍ୱର ୧୧ ତାରିଖ ମୁଦ୍ରିତ ସଂସ୍କରଣରେ ପ୍ରକାଶିତ ସିଦ୍ଧାର୍ଥ ମୁଖାର୍ଜୀଙ୍କ କ୍ୟାନସର ସଂପର୍କୀତ ଏକ ରଚ଼ନା ସେପ୍ଟେମ୍ୱର ୬ ତାରିଖ ଦିନ ପଢ଼ିବାର ସୁଯୋଗ ପାଇଥିଲି l ସିଦ୍ଧାର୍ଥ ମୁଖାର୍ଜୀଙ୍କ ନାମ ୨୦୧୧ ମସିହାରେ କ୍ୟାନସର ସଂପର୍କରେ ନନଫିକସନ ପୁସ୍ତକ ପାଇଁ ପୁଲିଜର ପୁରସ୍କାର ପାଇବା ଅବସରରେ ବେଶ ଚର୍ଚ୍ଚିତ ହୋଇଥିଲା l ତେବେ ଦି ଏମ୍ପରର ଅଫ ଆଲ ମେଲାଡ଼ିସ : ଏ ବାୟୋଗ୍ରାଫି ଅଫ କ୍ୟାନସର ଭଳି ପୁସ୍ତକ ପଢ଼ିବା ନିମନ୍ତେ ସମୟ ବାହାର କରିପାରି ନଥିଲି l ଏ ଯାଏଁ ସେହି ପୁସ୍ତକ ପଢ଼ିବା ମୋର ୱିସଲିଷ୍ଟରେ ରହିଆସିଛି l
୨୦୧୬ ଖରାଦିନ କୋଲକାତା-ଟୁର ଅବସରରେ ନ୍ୟୂୟର୍କରର ସଂଭବତଃ ଫେବୃୟାରୀ ମାସ ସଂଖ୍ୟାରେ ସିଦ୍ଧାର୍ଥ ମୁଖାର୍ଜୀଙ୍କ ପ୍ରକାଶନ୍ମୁଖୀ ତୃତୀୟ ପୁସ୍ତକ ଜିନର ଏକ ଏକଷ୍ଟ୍ରାଟ ପଢ଼ିବାର ସୁଯୋଗ ମିଳିଥିଲା l ସେଥିରେ ସେ ନିଜ ପରିବାର ଉଦାହରଣ ଦେଇ ମାନସିକ ରୋଗ କିପରି ବଂଶଗତଭାବେ ସଂପ୍ରସାରିତ ହୋଇଥାଏ ଏବଂ ଜିନ ଉପରେ ନିର୍ଭରଶୀଳ ତାହା ପ୍ରାଞ୍ଜଳଭାବେ ବର୍ଣ୍ଣନା କରିଥିଲେ l ବ୍ରହ୍ମପୁର ଫେରି ଭ୍ରମଣ ଅଭିଜ୍ଞତା ବର୍ଣ୍ଣନାରେ ମୋର ଜଣେ ବିଲଡ଼ର ବନ୍ଧୁଙ୍କୁ ଏ ସଂପର୍କରେ କହିଥିଲି l ପୁସ୍ତକଟି ମେ ମାସରେ ଭାରତରେ ପ୍ରକାଶିତ ହେଲା l ବିଲଡ଼ର ବନ୍ଧୁ ଆମେଜନରୁ ଖଣ୍ଡିଏ ହାର୍ଡ଼ବାଉଣ୍ଡ ପୁସ୍ତକ କିଣି ଆଣି ମୋତେ ପଢିବାକୁ ଦେଇଥିଲେ l ସେଠାରୁ ସିଦ୍ଧାର୍ଥ ମୁଖାର୍ଜୀଙ୍କ ଲେଖାସହ ମୋର ପରିଚ଼ିତି l
ସିଦ୍ଧାର୍ଥ ନୂଆଦିଲ୍ଲୀରେ ଜନ୍ମିତ ନ୍ୟୂୟର୍କରେ ଅବସ୍ଥାପିତ ୪୬ ବର୍ଷ ବୟସ୍କ କ୍ୟାନସର ଚ଼ିକିତ୍ସକ l ସେ କଲମ୍ୱିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ରୂପେ କାର୍ଯ୍ୟରତ l ଷ୍ଟାନଫୋର୍ଡ଼, ଅକ୍ସଫୋର୍ଡ ଓ ହାରୱାର୍ଡ଼ରେ ପ୍ରଶିକ୍ଷିତ ସିଦ୍ଧାର୍ଥ କ୍ୟାନସର ଓ ଜିନ ଉପରେ ଗବେଷଣାରତ ଏବଂ ଏହି ଦୁଇ ବିଷୟ ସମେତ ୨୦୧୫ରେ ଦି ଲ ଅଫ ମେଡ଼ିସେନ : ଫିଲଡ଼ ନୋଟସ ଫ୍ରମ ଏନ ଅନସଟର୍ନି ସାଇନ୍ସ ନାମକ ଏକ ପୁସ୍ତକ ପ୍ରକାଶ କରିଛନ୍ତି l
ସିଦ୍ଧାର୍ଥଙ୍କ ରଚ଼ନାଶୈଳୀର ବିଶେଷତ୍ୱ କ୍ୟାନସର ବା ଜିନ ଭଳି ଚ଼ିକିତ୍ସା ବିଜ୍ଞାନର ଅତ୍ୟାଧୁନିକ ତଥା ଜଟିଳ ତତ୍ତ୍ୱମାନ ସାଧାରଣ ପାଠକଙ୍କ ନିମନ୍ତେ ଦୃଷ୍ଟିଆକର୍ଷକ ତଥା ବୋଧଗମ୍ୟ ଭାଷାରେ ଉପସ୍ଥାପନ କରିବା ଦକ୍ଷତାରେ ପର୍ଯ୍ୟବେସିତ l ତାଙ୍କରି ରଚ଼ନା ଅନୁଶୀଳନ କରିବାଦ୍ୱାରା ଆଗ୍ରହୀ ସାମ୍ୱାଦିକମାନେ ଏକପକ୍ଷରେ ସାଂପ୍ରତିକ ଚ଼ିକିତ୍ସା ବିଜ୍ଞାନରେ ଚର୍ଚ୍ଚିତ କେତେକ ନୂତନ ଦିଗ ସଂପର୍କରେ ଅବହିତ ହୋଇପାରିବେ ଏବଂ ଅନ୍ୟପକ୍ଷରେ ଅତ୍ୟନ୍ତ ଜଟିଳ ବିଷୟବସ୍ତୁ କିପରି ବୋଧଗମ୍ୟ ସାବଲୀଳ ଭାବେ ଉପସ୍ଥାପନ କରିହୁଏ ସେହିଭଳି ଶୈଳୀର ଉଦାହରଣ ସହ ପରିଚ଼ିତ ହୋଇପାରିବେ l
ଏଭଳି ରଚ଼ନା ପ୍ରସ୍ତୁତି ଅବସରରେ କେତେଗୋଟି ଦିଗପ୍ରତି ଆମକୁ ପ୍ରଥମରୁ ସଜାଗ ରହିବାକୁ ପଡ଼ିବ l ପ୍ରଥମତଃ ଏକ ବୃହତପାଠକ ଶ୍ରେଣୀଙ୍କଠାରେ ପହଞ୍ଚିବାକୁ ହେଲେ ରଚ଼ନାର ବିଷୟବସ୍ତୁ ସମସାମୟିକ, ଦୃଷ୍ଟିଆକର୍ଷଣକାରୀ ଏବଂ ସର୍ବସାଧାରଣ ଜ୍ଞାନପରିସର ବୃଦ୍ଧି ଲାଗି ଉପଯୋଗୀ ହୋଇଥିବା ଆବଶ୍ୟକ l ଏସବୁ ବିଭବ ବିନା ପତ୍ରପତ୍ରିକା ପାଇଁ ରଚ଼ନା ଅସଂଭବ l ଯେକୌଣସି ଗବେଷଣାଭିତ୍ତିକ ରଚ଼ନା ବିଷୟଭିତ୍ତିକ ଜର୍ଣ୍ଣାଲ ପାଇଁ ଉପଯୁକ୍ତ ହୋଇପାରେ, କିନ୍ତୁ ବହୁଳ ପ୍ରସାରିତ ପତ୍ରପତ୍ରିକାରେ ସ୍ଥାନିତ କରାଯାଇପାରେନା l ଉପସ୍ଥାପନ ଶୈଳୀ ସଂପର୍କରେ ଜ୍ଞାନ ଆହରଣ ନିମନ୍ତେ ଉନ୍ନତମାନର ରଚ଼ନା ଅନୁଧ୍ୟାନ ଏକ ସରଳ ଉପାୟ l ଏ କ୍ଷେତ୍ରରେ ଅନ୍ୟାନ୍ୟ ବହୁବିଧ ପ୍ରଣାଳୀ ମଧ୍ୟ ବ୍ୟବହାର କରାଯାଇପାରେ, ସେଥିମଧ୍ୟରୁ ଏହା ଗୋଟିଏ l
ନ୍ୟୂୟର୍କର ୧୧ ସେପ୍ଟେମ୍ୱର ମୁଦ୍ରିତ ସଂସ୍କରଣରେ ପ୍ରକାଶିତ ସିଦ୍ଧାର୍ଥଙ୍କ କ୍ୟାନସର୍ସ ଇନଭେସନ ଇକ୍ୱେସନ ଶୀର୍ଷକ ଦୀର୍ଘ ରଚ଼ନାର ମୂଳ ତତ୍ତ୍ୱ ହେଲା କ୍ୟାନସର ଟ୍ୟୁମରକୁ ଅସ୍ତ୍ରୋପଚ଼ାର ଦ୍ୱାରା ସଂପୂର୍ଣ୍ଣ ଅପସାରଣ କରିଦେଲେ ସୁଦ୍ଧା କ୍ୟାନସର ସେଲ ଶରୀରର ଅନ୍ୟାନ୍ୟ ଅଂଶରେ ନିଷ୍କ୍ରିୟ ଅବସ୍ଥାରେ ରହୁଥିବା ଦେଖାଯାଉଛି l ଆକ୍ରାନ୍ତ ବ୍ୟକ୍ତିର ଜିନ ଓ ପରିବେଶ ପ୍ରଭାବରେ ସ୍ଥଳବିଶେଷରେ ସେହି ସେଲଗୁଡ଼ିକ ମେଟାଷ୍ଟାଟିକ ଅବସ୍ଥା ସୃଷ୍ଟି କରିଥାନ୍ତି l ମୂଳ ଟ୍ୟୁମର ତୁଳନାରେ ମେଟାଷ୍ଟାଟିସେସ କାରଣରୁ ଅଧିକ କ୍ୟାନସର ରୋଗୀ ମୃତ୍ୟୁ ମୁଖରେ ପଡୁଥିବା ଗଣତି କରାଯାଉଛି l ତେଣୁ ଆଜିକାଲି ଆମେ ଟ୍ୟୁମର ଗୁଡ଼ିକୁ ପ୍ରାଥମିକସ୍ତରରେ ଚ଼ିହ୍ନଟ କରିପାରୁଥିଲେ ହେଁ ରୋଗାକ୍ରାନ୍ତର ଜୀବନରକ୍ଷା ସବୁ କ୍ଷେତ୍ରରେ ସମ୍ଭବପର ହୋଇପାରୁ ନାହିଁ l
***

ଓଡ଼ିଆ ସାମ୍ୱାଦିକତାର ଗୁଣବତ୍ତା ବିକାଶ ଉଦ୍ୟମ

ସାମ୍ୱାଦିକତାର ଗୁଣବତ୍ତା ବିକାଶ ମୁଖ୍ୟତଃ ସାମ୍ୱାଦିକମାନଙ୍କ ବ୍ୟକ୍ତିକେନ୍ଦ୍ରୀକ ଉଦ୍ୟମରେ ପର୍ଯ୍ୟବେସିତ l ସାମ୍ୱାଦିକତା ଏକ ସର୍ଜନଶୀଳ କଳା ପର୍ଯ୍ୟାୟଭୁକ୍ତ ହେଉଥିବା ହେତୁ ସମ୍ୱାଦ ରଚନା ନିମନ୍ତେ ତଥ୍ୟ ସଂଗ୍ରହ, ଉପସ୍ଥାପନା ଶୈଳୀ ନିୟୋଜନ ଓ ପାଠକୀୟ ଆଗ୍ରହ ତୁଷ୍ଟିକରଣ ଇତ୍ୟାଦି ପ୍ରତ୍ୟେକଟି କ୍ଷେତ୍ରରେ ସାମ୍ୱାଦିକଙ୍କ ନିଷ୍ଠା ହିଁ ମୂଳତଃ ସହାୟକ ହୋଇଥାଏ l ଅବଶ୍ୟ ରଚନା ପରବର୍ତ୍ତୀ ପର୍ଯ୍ୟାୟ ପ୍ରକାଶନ ଅବସରରେ ଉଚ଼ିତ ମଞ୍ଚ ଓ ପ୍ରଚ଼ାର ଆବଶ୍ୟକ ପଡିଥାଏ l ତେବେ ଉଚ୍ଚମାନର ରଚନା ବ୍ୟତିରେକେ ମଞ୍ଚ ନିର୍ମାଣ ଓ ପ୍ରଚାର ଆୟୋଜନ ପାଠକୀୟ ସ୍ୱୀକୃତି ହାସଲ କରିପାରି ନଥାଏ l
ପ୍ରଶ୍ନ ଉଠେ ସାମ୍ୱାଦିକତା ବ୍ୟକ୍ତିକେନ୍ଦ୍ରୀକ ସର୍ଜନଶୀଳ କଳା ରୂପେ ସମର୍ଥିତ ହେଉଥିବା ବେଳେ ଏହି କ୍ଷେତ୍ରରେ ଗୁଣବତ୍ତା ବିକାଶ ନିମନ୍ତେ ସାଂଗଠିନକ ପ୍ରଚ଼େଷ୍ଟା କେତେଦୂର ପ୍ରାସଙ୍ଗିକ ?
ପ୍ରଥମତଃ ସର୍ଜନଶୀଳତା ବ୍ୟକ୍ତିକେନ୍ଦ୍ରୀକ ହେଲେ ହେଁ ଏହାର ବିକାଶ କେତେକାଂଶରେ ପ୍ରକାଶନ-ପୂର୍ବ ଓ ପ୍ରକାଶନ-ପର ସମୀକ୍ଷା ଓ ଆକର୍ଷଣୀୟ ଶୈଳୀ ଉପଯୋଗରେ ନିର୍ଭରଶୀଳ l ଦ୍ୱିତୀୟତଃ ସର୍ଜନଶୀଳ ସାମ୍ୱାଦିକମାନେ ସଂଗଠନ ଅନ୍ତର୍ଭୁକ୍ତ ହେଲେ ଏ କ୍ଷେତ୍ରରେ ରୁଚ଼ି ରଖୁଥିବା ଅନ୍ୟମାନଙ୍କ ସହିତ ଭାବ ଆଦାନପ୍ରଦାନର ସୁଯୋଗ ସୃଷ୍ଟି ହୋଇଥାଏ l ତୃତୀୟତଃ ବ୍ୟକ୍ତିଗତସ୍ତରରେ ଆହରଣ କରାଯାଉଥିବା ସର୍ଜନଶୀଳ ଅନୁଭବ ଓ ଉପଲବ୍ଧି ସୃଜନ ସମାଜରେ ବିତରିତ ହେଲେ ତାହା ଅନ୍ୟମାନଙ୍କୁ ଉଦ୍ ବୁଦ୍ଧ କରେ ଏବଂ ସାମଗ୍ରିକଭାବେ ସାମ୍ୱାଦିକତାର ଗୁଣବତ୍ତା ବିକାଶରେ ସହାୟକ ହୋଇଥାଏ l
ଅତଏବ ସାମ୍ୱାଦିକତା ବ୍ୟକ୍ତିକେନ୍ଦ୍ରୀକ ଏକାନ୍ତ ସାଧନା ହେଲେ ହେଁ ସମଗୋତ୍ରରେ ଚଳପ୍ରଚଳ ସର୍ଜନଶୀଳତାକୁ ପ୍ରୋତ୍ସାହିତ କରିଥାଏ l ସ୍ୱାଧୀନୋତ୍ତର ଦୁଇ ଦଶନ୍ଧିଧରି ଓଡ଼ିଶା ସାହିତ୍ୟରେ ବହୁ ପ୍ରତିଭାଧାରୀ ଲେଖକଙ୍କ ଆବିର୍ଭାବ ଘଟିଥିଲା l ସେତେବେଳକୁ କଟକ ମୁଦ୍ରଣ ଓ ପ୍ରକାଶନର କେନ୍ଦ୍ରସ୍ଥଳ ଥାଏ l ଲେଖକମାନେ କହୁଥାନ୍ତି ଯେ କଟକ ଛାଡ଼ି ଗଲେ ଲେଖାଲେଖି ଆପେ ବନ୍ଦ ହୋଇଯିବ l
କେତେକ ଲେଖକ ଅଧ୍ୟାପକ ଭଳି ଚ଼ାକିରୀଛାଡ଼ି କଟକରେ ଅବସ୍ଥାନ ପାଇଁ କିରାନୀ ଚ଼ାକିରୀ ସାଦରରେ ଗ୍ରହଣ କରିଥିବା ଉଦାହରଣ ଅଭାବ ନଥିଲା l କଟକରେ ରହିବା ଅର୍ଥାତ ଲେଖକ ପ୍ରକାଶକମାନଙ୍କ ସହ ସମୟ କାଟିବା ଲେଖାଲେଖି ପାଇଁ ପ୍ରେରଣାର ସୁଯୋଗକୁ ବୁଝାଉଥିଲା l
ଅବଶ୍ୟ ପରିବର୍ତ୍ତିତ ପରିବେଶରେ ପଚ଼ାଶ ବର୍ଷ ତଳର ସାହିତ୍ୟ ଖଟି ବର୍ତ୍ତମାନ ଆଶା କରାନଯାଇପାରେ l ତେବେ ସାମୂହିକ ଆଲୋଚ଼ନା ବା କନଭରସେସନର ଗୁରୁତ୍ୱ ଲୋପ ପାଇଯାଇ ନାହିଁ l ହାତପାଆନ୍ତାରେ ସାରାବିଶ୍ୱର ସୃଜନ ପାଣିପାଗର ବିବରଣୀ ଉପଲବ୍ଧ ହେଉଥିବାବେଳେ ସେ ସବୁର ବିଶ୍ଳେଷଣରେ ସହାୟତା ପାଇଁ ଅଧିକ ସତୀର୍ଥ ଆଲୋଚ଼କଙ୍କ ଆବଶ୍ୟକତା ଅନୁଭୂତ ହେଉଛି l
ପାରମ୍ପରିକଭାବେ ସାମ୍ୱାଦିକତା ତାଲିମ ଅଗ୍ରଜ-ଅନୁଜ ଭିତ୍ତିଭୂମିରେ ପ୍ରତିଷ୍ଠିତ ହୋଇଥିବା ଇତିହାସ ପୃଷ୍ଠାରୁ ପଢ଼ିବାକୁ ମିଳେ l ଶିଶା ଅକ୍ଷର ଯୋଡ଼େଇ ଛାପାଖାନାରେ ସାମ୍ୱାଦିକତା ତାଲିମ ପୃଫ-ସଂଶୋଧନ ଓ ପୃଷ୍ଠା-ସଂଯୋଜନାରୁ ଆରମ୍ଭ ହେଉଥିଲା l ବରିଷ୍ଠ ସାମ୍ୱାଦିକଙ୍କ ଅସଜଡ଼ା ଲେଖାକୁ ସଜାଡ଼ିବା ଶିଖି କନିଷ୍ଠମାନେ ସାମ୍ୱାଦିକତାରେ ପାଦ ଥୋଉଥିଲେ l
ହୁଏତ ଆଜି ସେଭଳି ସୁଯୋଗ ସୃଷ୍ଟି କରିବା ସଂଭବପର ହୋଇ ନପାରେ l ତେବେ ଭାରଚୁଆଲ କାନଭାସରେ ତାହାଠାରୁ ଅଧିକ ଉନ୍ନତ ପରିବେଶ ସୃଷ୍ଟିଲାଗି ଉପାଦନ ଭରି ରହିଛି l ଏ ଭଳି ମତବାଦରେ ବିଶ୍ୱାସ କରୁଥିବା ସୃଜନ ଅନୁରାଗୀ ସାମ୍ୱାଦିକମାନେ ଅଗ୍ରଣୀ ଓଡ଼ିଆ ସାମ୍ୱାଦିକ ମଣ୍ଡଳୀରେ ଆସ୍ଥାନ ଜମାଇବା ନିମନ୍ତେ ଦ୍ୱାର ଉନ୍ମୁକ୍ତ l
ମୋର ବିଚ଼ାରରେ ଏଭଳି ଏକ ମଞ୍ଚ ସଂପୂର୍ଣ୍ଣଭାବେ ଅଣଆନୁଷ୍ଠାନିକ ଭାରଚୁଆଲ ଭିତ୍ତିରେ ଗଢ଼ିଉଠୁ l ଏହାର ବିକାଶରେ କୌଣସି ପାରମ୍ପରିକ ସାଂଗଠନିକ ଢ଼ାଞ୍ଚା ଉପଯୋଗ ନ ହେଉ l ସଭ୍ୟପଦ, କର୍ମକର୍ତ୍ତା, ସାମ୍ୱିଧାନିକ ମାନ୍ୟତା କିମ୍ୱା ଆର୍ଥିକ ଦେଣନେଣର ବ୍ୟବସ୍ଥା ନ ରହୁ l ଓଡ଼ିଆ ସାମ୍ୱାଦିକତାର ବିକାଶକଳ୍ପେ ସାମ୍ୱାଦିକମାନେ ପ୍ରସ୍ତାବ ବା ଏଜେଣ୍ଡା ଉପସ୍ଥାପନ କରନ୍ତୁ ଏବଂ ତାହାର ବିଚ଼ାର ବିମର୍ଷ ଭିନ୍ନ ଭିନ୍ନ ମଞ୍ଚରେ ଆୟୋଜନ କରାଯାଉ l ଯଥା : ବିଭିନ୍ନ ପତ୍ରପତ୍ରିକା, ଟେଲିଭିଜନ ବା ଇଣ୍ଟରନେଟଭିତ୍ତିକ ଇମେଲ ନିଉଜଲେଟର, ବ୍ଳଗ, ୱେବିନାର ଇତ୍ୟାଦି l
ବିବିଧତା ବା ପ୍ଳୁରାଲିଜିମକୁ ସମ୍ମାନ ଦିଆଯାଉ l କାରଣ ସମକାଳରେ ବୈଷୟିକ ଓ ସାମାଜିକ ପରିବର୍ତ୍ତନ ଅତ୍ୟନ୍ତ କ୍ଷୀପ୍ରଗତିରେ ସଂଘଟିତ ହେଉଥିବା ହେତୁ କୌଣସି ବଦ୍ଧମୂଳ ଧାରଣାର ବଶବର୍ତ୍ତୀ ହେବା ଭ୍ରାନ୍ତ-ମାନସିକତା ବା ଡ଼ିଲ୍ୟୁଜନର ପର୍ଯ୍ୟାୟଭୁକ୍ତ ହୋଇସାରିଲାଣି l ବିକେନ୍ଦ୍ରୀକରଣ ଲକ୍ଷ୍ୟରେ ମୋ ବିଚ଼ାର ସହ ଅନ୍ୟମାନେ ସେମାନଙ୍କ ବିଚ଼ାର ଯୋଡ଼ନ୍ତୁ l କାର୍ଯ୍ୟଧାରା କେମିତି ଆଗାଉଛି କିଛିକାଳ ପରେ ତନଖି ସଜାଡ଼ିନେବାର ସୁଯୋଗ ସବୁବେଳେ ରହିଛି l ଏହି ଲକ୍ଷ୍ୟସିଦ୍ଧିରେ ଇମେଲ-ନିଉଜଲେଟର କିପରି ପ୍ରଭାବଶାଳୀ ଭୂମିକା ନିଭାଇପାରିବ ତାହା ଆସନ୍ତା ସପ୍ତାହରେ ବିଚ଼ାର କରିବି l
ବର୍ତ୍ତମାନ ଏଭଳି ସାଂଗଠନିକ ପ୍ରକ୍ରିୟାପ୍ରତି ଡ଼କ୍ଟର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସନ୍ଦେହକୁ ଫେରିବା l ଓଡ଼ିଶା ବର୍ତ୍ତମାନ ଏକ ଗରିବ, ଗ୍ରାମବହୁଳ, ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ପଛୁଆ ତଥା ନେତୃତ୍ୱ ବିହୀନ ରାଜ୍ୟ l ଏଭଳି ପରିବେଶରେ ପ୍ରଗତିଶୀଳ ଚ଼ିନ୍ତା ଉଧେଇବା ଅସଂଭବ l ଏଠି ଜଣକ ସହ ଅନ୍ୟ ଜଣେ କାମ କରିପାରୁନି l ରାଜ୍ୟପାଇଁ ସାମଗ୍ରିକଭାବେ ଏହା ସତ l କିନ୍ତୁ ଏଠି କଣ ଉଦାରମନା, ସଂଭ୍ରାନ୍ତ, ଜିଜ୍ଞାସୁ ବ୍ୟକ୍ତି ଚ଼ରିତ୍ର ନାହାନ୍ତି ? ଅବଶ୍ୟ ଅଛନ୍ତି !
ସେ ହିଁ ନିଜେ କହିଥାନ୍ତି ଆମ ସମାଜରେ ଦୁଷ୍ଟ ଚ଼ରିତ୍ରମାନେ କ୍ଷଣିକ ମଧ୍ୟରେ ଐକ୍ୟବଦ୍ଧ ହୋଇପାରୁଥିବାବେଳେ ଭଦ୍ର ସମାଜର ଅସ୍ଥିତ୍ୱ ବାରି ହୁଏନି l ଅର୍ଥାତ ଭଦ୍ର ଲୋକ ଅସଂଗଠିତ ଅବସ୍ଥାରେ ଅଛନ୍ତି ଏବଂ ସେମାନେ ତଥାକଥିତ କଳୁଷିତ ସାଂଗଠନିକ ଜୀବନ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ବୁଝାଯାଇପାରେ l ଏକଥା ଓଡ଼ିଆ କାହିଁକି ଯେକୌଣସି ବିକାଶୋନ୍ମୁଖୀ ସମାଜ ପାଇଁ ପ୍ରଯୁଜ୍ୟ l
ତେବେ ପୁଣି ଏକ ଉଦ୍ୟମ ଆରମ୍ଭ କରିବାରେ କ୍ଷତି କ? ଓଡ଼ିଶା ଭଳି ରାଜ୍ୟରେ ସାରାଜୀବନ ଆମେ ବିଫଳତାର ପାହାଡ଼ରେ ଛିଡ଼ା ହୋଇ ଆସିଛୁ l ପୁଣି ଗୋଟାଏ ବିଫଳତା ଆମ ପାଇଁ କିଛି ଫରକ ଆଣିଦେବ ନାହିଁ !
***

ଇ-ମେଲ ନିଉଜଲେଟର ପ୍ରକାଶନ

ବୈଷୟିକ ପ୍ରଗତି ସାମାଜିକ ଆଙ୍ଗୀକରେ ନୂତନ ସଂଭାବନାମାନ ନେଇ ପହଞ୍ଚିଥାଏ l ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡ଼ିଆ ମଞ୍ଚରେ ବ୍ଳଗ, ଫେସବୁକ, ଟୁଇଟର ଭଳି ଉତ୍ପାଦ ପରକୁ ଇ-ମେଲ ନିଉଜଲେଟର ତଥ୍ୟ ବିନିମୟ କ୍ଷେତ୍ରରେ ବିପୁଳ ପ୍ରତିଶୃତି ସହ ଅବତୀର୍ଣ୍ଣ ହୋଇଛି l ଏହା ମୁଖ୍ୟତଃ ବ୍ୟାବସାୟିକ ଉନ୍ନୟନ ବା ବିଜିନେସ ପ୍ରମୋସନ କ୍ଷେତ୍ରରେ ବ୍ୟବହୃତ ହେଉଥିଲେ ହେଁ ବୌଦ୍ଧିକ ଯୋଗାଯୋଗ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ l
ନିଉଜଲେଟର ସାମ୍ୱାଦିକତାର ଅନ୍ୟତମ ପୁରାତନ ବିଭବ l ମୁଦ୍ରଣ ଯନ୍ତ୍ର ଉଦ୍ଭାବନ ପୂର୍ବରୁ ବ୍ୟବସାୟ ଓ ରାଜକାର୍ଯ୍ୟରେ ହାତଲେଖା ପତ୍ରିକା ବ୍ୟବହୃତ ହେଉଥିଲା l ଗୋଟିଏ ବ୍ୟାବସାୟିକ ପେଣ୍ଠରେ ବିଭିନ୍ନ ଦ୍ରବ୍ୟର ଦର ତାଲିକା ଅନ୍ୟ ବ୍ୟାବସାୟିକ ପେଣ୍ଠର ବ୍ୟବସାୟୀଙ୍କୁ ହାତଲେଖା ପତ୍ରିକା ପତ୍ରବାହକଙ୍କ ମାଧ୍ୟମରେ ପ୍ରେରଣ କରାଯାଉଥିଲା l
ସେହିପରି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରଶାସନିକ ବିବରଣୀ ରାଜାଙ୍କ ନିକଟରେ ପହଞ୍ଚୁଥିଲା l ଆମ ଦେଶରେ ମୋଗଲ ସମ୍ରାଟ ଔରଙ୍ଗଜେବ ନିଜ ଶାସନକାଳରେ ସାମ୍ରାଜ୍ୟର କୋଣ ଅନୁକୋଣରେ ହାତଲେଖା ପତ୍ରିକା ଲେଖକ ଏବଂ ଅଶ୍ୱାରୋହୀ ପତ୍ରବାହକମାନଙ୍କୁ ନିଯୁକ୍ତି ଦେଇଥିଲେ l
ଓଡ଼ିଶାରେ ଇଂଲିଶ ପ୍ରଶାସକମାନେ ପହଞ୍ଚିବାପୂର୍ବରୁ ଅଧୁନା ଚୌଦ୍ୱାରଠାରେ ସ୍ଥାପିତ କୁଜୀବର ମଠରୁ ସାଧୁସୁନ୍ଦର ଦାସ ଭୁର୍ଜପତ୍ର ଓ ହରିତାଳ କାଗଜରେ ହାତଲେଖା କୁଜୀବର ପତ୍ର ପ୍ରକାଶ କରୁଥିବା ପ୍ରମାଣ ମିଳେ l
୧୯୯୫ ମସିହା ବେଳକୁ ପାଶ୍ଚାତ୍ୟ ଭୂଖଣ୍ଡ, ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାରେ ଇ-ମେଲ ବ୍ୟବହାର ଲୋକପ୍ରିୟ ହେବା ପୂର୍ବରୁ ବିଭିନ୍ନ ବିଷୟରେ ମୁଦ୍ରିତ ନିଉଜଲେଟର ଦୀର୍ଘ କାଳଧରି ପ୍ରଚଳିତ ଥିଲା ଏବଂ ଅନେକ କ୍ଷେତ୍ରରେ ଏହା ଅର୍ଥ ଉପାର୍ଜନ ବା ମନିଟାଇଜେସନରେ ପର୍ଯ୍ୟବେସିତ ହୋଇପାରୁଥିଲା l ଅବଶ୍ୟ ଆମଦେଶରେ ବୃହତ ବ୍ୟାବସାୟିକ ସଂଗଠନଗୁଡ଼ିକ ଦ୍ୱାରା ନିଉଜଲେଟର କେବଳ ଲୋକସଂପର୍କ ପତ୍ର ବା ପବ୍ଳିକ ରିଲେସନ ଟୁଲ ଭାବେ ସୀମାବଦ୍ଧ ଥିଲା l
୨୦୧୦ ମସିହାରେ ଫିଲ କାପଲାନଙ୍କ ଦ୍ୱାରା ବିକଶିତ ଟାଇନିଲେଟର ସାଧାରଣକ୍ଷେତ୍ରରେ ଇ-ମେଲ ନିଉଜଲେଟର ବ୍ୟବହାର ଲାଗି ପ୍ରଶସ୍ତକ୍ଷେତ୍ର ଉନ୍ମୁକ୍ତ କରିଥିଲା l ଏହାକୁ ୨୦୧୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରମୁଖ ବ୍ୟାବସାୟିକ ନିଉଜଲେଟର ବିତରକ ମେଲଚିମ୍ପ ଅଧିଗ୍ରହଣ କରିଥିଲେ l ତେବେ ପୂର୍ବବତ ଟାଇନିଲେଟରକୁ ବିଶ୍ୱବ୍ୟାପୀ ନିଃଶୁଳ୍କ ସେବା ଅବ୍ୟାହତ ରଖିଛନ୍ତି l ଏହି ମଞ୍ଚରେ ପ୍ରକାଶିତ ସମ୍ୱାଦସାରଭିତ୍ତିକ ସ୍କିମ ନିଉଜଲେଟରର ୧୫ ଲକ୍ଷ ଗ୍ରାହକ ଥିବାବେଳେ ଷ୍ଟ୍ରାଟଚ଼େରି ନିଉଜଲେଟରର ବାର୍ଷିକ ଗ୍ରାହକ ଚ଼ାନ୍ଦା ପ୍ରାୟ ସାତ ହଜାର ଟଙ୍କା ନିର୍ଦ୍ଧାରିତ ହୋଇଥାଏ l
ଅଗ୍ରଣୀ ଓଡ଼ିଆ ସାମ୍ୱାଦିକ ମଣ୍ଡଳୀ ବିକାଶରେ ଇ-ମେଲ ନିଉଜଲେଟର ମଞ୍ଚ ବ୍ୟବହୃତ ହୋଇପାରିବ l ଏକ ପକ୍ଷରେ ଓଡ଼ିଆ ସାମ୍ୱାଦିକତା ବିକାଶରେ ଆଗ୍ରହୀ ବ୍ୟକ୍ତିବିଶେଷ ଏହି ଇ-ମେଲ ନିଉଜଲେଟର ସବସ୍କ୍ରାଇବ କରିବା ସହ ନିଜେ ମଧ୍ୟ ଇ-ମେଲ ନିଉଜଲେଟର ପ୍ରକାଶ କରି ବିତରଣର ବ୍ୟବସ୍ଥା କରିପାରିବେ l ଫଳତଃ ଏକ ନିର୍ଦ୍ଧିଷ୍ଟ ଚ଼ିନ୍ତାଧାରାରେ ବିଶ୍ୱାସ ରଖୁଥିବା ଗୋଷ୍ଠୀ ମଧ୍ୟରେ ଭାବ ଆଦାନ ପ୍ରଦାନ ସଂଭବପର ହୋଇପାରିବ l କିଛି ସାମ୍ୱାଦିକ ପାଠକ ଓ ପ୍ରକାଶକ ତଥା ଅନ୍ୟ କିଛି ସାମ୍ୱାଦିକ କେବଳ ପାଠକ ପର୍ଯ୍ୟାୟଭୁକ୍ତ ହୋଇ ଓଡ଼ିଆ ସାମ୍ୱାଦିକତାରେ ଗୁଣବତ୍ତା ବିକାଶରେ ସଂପୃକ୍ତ ରହିପାରିବେ l  
-ମେଲ ନିଉଜଲେଟର ଉପଯୋଗରେ କେତେକ ପ୍ରତିବନ୍ଧକ ମଧ୍ୟ ଚ଼ିହ୍ନଟ କରାଯାଇପାରେ l ପ୍ରଥମତଃ ଇ-ମେଲ ନିୟମିତ ବ୍ୟବହାରରେ ଅନଭ୍ୟସ୍ତ ସାମ୍ୱାଦିକମାନେ ଏଭଳି ପ୍ରଚ଼େଷ୍ଟାରେ ଉପକୃତ ନହୋଇପାରନ୍ତି l ଦ୍ୱିତୀୟତଃ ଏହି ରକମର ମାସମେଲ ଅନେକ ସମୟରେ କେତେକ ଇ-ମେଲ ମଞ୍ଚରେ ସ୍ପାମଭାବେ ପହଞ୍ଚୁଥିବା ହେତୁ ଗ୍ରହୀତା ଏହାକୁ ଖୋଜି ବାହାର କରିନପାରିଲେ ପାଠକରିବା ସୁଯୋଗ ନମିଳିପାରେ l ତୃତୀୟତଃ ଚର୍ଚ୍ଚିତ ଇ-ମେଲ ନିଉଜଲେଟର ପ୍ରକାଶନ ସଂପର୍କରେ ରାଜ୍ୟର ସଂଖ୍ୟାଧିକ ସାମ୍ୱାଦିକଙ୍କୁ ଅବଗତ କରାଇବା ତଥା ସେମାନେ ସବସ୍କ୍ରାଇବ କରିବା କଳାକୌଶଳ ଅକ୍ତିଆର କରିବା ହୁଏତ ତୁରନ୍ତ ଫଳପ୍ରଦ ନ ହୋଇପାରେ l
ତେବେ ଓଡ଼ିଆ ସାମ୍ୱାଦିକତା ଡ଼ିଜିଟାଲାଇଜେସନ ଆଡ଼କୁ ମୁହାଁଉଥିବା ହେତୁ ସମସ୍ତ ସାମ୍ୱାଦିକ ଏହି ଧାରାରେ ଅଭ୍ୟସ୍ତ ହେବା ନିମନ୍ତେ ପରିବେଶ ସୃଷ୍ଟିକରିବା ଜରୁରୀ ଆବଶ୍ୟକତାରେ ପରିଣତ ହୋଇଛି ଏବଂ ଏ ଦିଗରେ ସମସ୍ତଙ୍କଠାରେ ଆଗ୍ରହ ଓ ଦକ୍ଷତା ଆଶା କରିବା ଅସମଚୀନ ମନେ ହୁଏନା l
-ମେଲ ନିଉଜଲେଟର ଉପଯୋଗରେ କେତେକ ସୁବିଧାସୁଯୋଗ ଉପଲବ୍ଧ l ପ୍ରଥମତଃ ଟାଇନିଲେଟର ମଞ୍ଚରେ ଏହା ଏକ ନିଃଶୁଳ୍କ ସେବା l ଅର୍ଥାତ ଯେ କୌଣସି ବ୍ୟକ୍ତି ସ୍ୱାଧୀନଭାବେ ଆଗ୍ରହ ମତେ ଅନ୍ୟ କୌଣସି ବ୍ୟକ୍ତି ବା ସଂଗଠନ ଦ୍ୱାରା ପ୍ରକାଶିତ ଇ-ମେଲ ନିଉଜଲେଟର ସବସ୍କ୍ରାଇବ କରି ନିୟମିତ ଭାବେ ନିଜ ଇ-ମେଲ ଏକାଉଣ୍ଟରେ ପାଇପାରିବେ କିମ୍ୱା ଅନସବସ୍କ୍ରାଇବ କରି ବିତରଣ ତାଲିକା ବା ସବସ୍କ୍ରାଇବର ଲିଷ୍ଟରୁ ବାଦ ହୋଇପାରିବେ l
ଦ୍ୱିତୀୟତଃ ଭୌଗଳିକ ସୀମାପାର ସମବିଚ଼ାରଧାରାର ବ୍ୟକ୍ତିବିଶେଷଙ୍କ ସହ ସମକାଳରେ ଏହି ମାଧ୍ୟମରେ ଯୋଗାଯୋଗ ସଂଭବପର l ତଥ୍ୟ ବିତରଣପରେ ଗ୍ରହୀତାଗଣ ନିଜନିଜ ପ୍ରତିକ୍ରିୟା ମୂଳସୂତ୍ରକୁ ପ୍ରେରଣକରିବାର ସୁବିଧା ରହିଛି l ଫଳତଃ ଯୋଗାଯୋଗ ପରିଧି ବା କମ୍ୟୁନିକେସନ ସର୍କଲରେ ପୂର୍ଣ୍ଣତା ଚ଼ରିତାର୍ଥ ହୋଇଥାଏ l
ତୃତୀୟତଃ ଇ-ମେଲ ନିଉଜଲେଟର ରଚ଼ନାର ଆକାର କିମ୍ୱା ଗ୍ରହୀତାଙ୍କ ସଂଖ୍ୟାରେ କୌଣସି ସୀମାନିର୍ଦ୍ଧାରିତ ନହୋଇଥିବାହେତୁ ଯୋଗାଯୋଗ ପ୍ରଯୋଜନାରେ ପର୍ଯ୍ୟାପ୍ତ ସ୍ୱାଧୀନତା ଉପଭୋଗ କରିହୁଏ l
ସର୍ଜନଶୀଳ ସାଂବାଦିକମାନେ ଓଡ଼ିଆ ସାଂବାଦିକତାର ଗୁଣବତ୍ତା ବିକାଶ ଉଦ୍ୟମରେ ପ୍ରତ୍ୟେକେ ଟାଇନିଲେଟର ମାଧ୍ୟମରେ ଏକ ଏକ ଇ-ମେଲ ନିଉସଲେଟର ପ୍ରଯୋଜନା କରିପାରିବେ l ବ୍ଳଗ ଓ ଫେସବୁକ ଭଳି ଏହା ଏକ ସଂପୂର୍ଣ୍ଣ ଶୁଳ୍କବିହୀନ ମଞ୍ଚ ଏବଂ ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ବ୍ୟବହାର ଭଳି ବିଶେଷ ବୈଷୟିକ ଜ୍ଞାନ ଆବଶ୍ୟକ କରେନାହିଁ l ସୃଜନରେ ରୁଚ଼ି ରଖୁଥିବା କିଛି ସାଂବାଦିକଙ୍କୁ ନିଜନିଜ ନିଉଜଲେଟର ସବସ୍କ୍ରାଇବରରୂପେ ଚ଼ିହ୍ନଟ କରିବା ନିମନ୍ତେ ଯତ୍ନବାନ ହୋଇପାରିବେ l
ପ୍ରଥମତଃ ସେମାନେ ଇଣ୍ଟନେଟରେ ଗଣମାଧ୍ୟମ ସଂପର୍କୀତ ଯାହାସବୁ ଭଲ ରଚ଼ନା ପଢୁଛନ୍ତି ଏବଂ ଭାବୁଛନ୍ତି ଯେ ତାହା ଅନ୍ୟମାନେ ପଢ଼ିବା ଉଚିତ, ତାହା ସଂପର୍କରେ ସାମାନ୍ୟ ସୂଚ଼ନା ଦେଇ ନିଜ ନିଉଜଲେଟରରେ ଲିଙ୍କ୍ ଉଲ୍ଲେଖ କରିବେ l ଏହାଫଳରେ ଆଉ କିଛି ଓଡ଼ିଆ ସାଂବାଦିକ ନୂଆ କଥାଟିଏ ଜାଣିପାରିବେ l
ଦ୍ୱିତୀୟତଃ ସେମାନେ ନିର୍ଦ୍ଧିଷ୍ଟ ସମୟ ଅବଧିରେ ନିଜେ ଲେଖିଥିବା ବା ପ୍ରଯୋଜନା କରିଥିବା ଲେଖା ବା କାର୍ଯ୍ୟକ୍ରମର ପ୍ରତିଲିପି କିମ୍ୱା ତାହାର ଲିଙ୍କ ନିଜ ନିଉଜଲେଟରରେ ପ୍ରକାଶ କରିପାରିବେ l ଆବଶ୍ୟକ ସ୍ଥଳେ ସେଭଳି କୃତୀ ପାଇଁ ତଥ୍ୟ ସଂଗ୍ରହ, ଶୈଳୀ ନିରୂପଣ ଓ ପ୍ରଯୋଜନା ଅଭିଜ୍ଞତା ସଂପର୍କରେ ମଧ୍ୟ ଉଲ୍ଲେଖ କରିପାରନ୍ତି l ଏହାଦ୍ୱାରା ଅନ୍ୟ କିଛି ଓଡ଼ିଆ ସାଂବାଦିକ କେତେକ ସଫଳ ରଚ଼ନା ଓ ତାହା ପ୍ରସ୍ତୁତିର ପୃଷ୍ଠଭୂମି ସଂପର୍କରେ ଅବଗତ ହୋଇପାରିବେ l
ତୃତୀୟତଃ ସେମାନେ ପ୍ରତି ମାସରେ ଥରେ ଓଡ଼ିଆ ଗଣମାଧ୍ୟମରେ ପ୍ରକାଶିତ ଏକ ରଚ଼ନା ବା ପ୍ରଯୋଜନାର ଗୁଣାତ୍ମକ ସମୀକ୍ଷା ବା କ୍ରିଏଟିଉଭ ଏପ୍ରିସିଏସନ ନିଜନିଜ ନିଉଜଲେଟରରେ ପ୍ରକାଶ କରିପାରିବେ l ଏହାଫଳରେ ଓଡ଼ିଆ ଗଣମାଧ୍ୟମରେ ପ୍ରକାଶିତ ରଚ଼ନାଗୁଡ଼ିକର ତୁଳନାତ୍ମକ ସମୀକ୍ଷାର ବାଟ ଖୋଲିବ ଓ ସାଂବାଦିକମାନେ ନିଜ ସୃଷ୍ଟି ସଂପର୍କରେ ଗୁଣାତ୍ମକ ଦିଗରୁ ସଚ଼େତନ ହେବା ଅବକାଶ ସୃଷ୍ଟି ହୋଇପାରିବ l
-ମେଲ ନିଉଜଲେଟର ଗୁଡ଼ିକ ପାକ୍ଷିକ କିମ୍ୱା ସାମୟିକ ହେବା ଉଚ଼ିତ l ବୃତ୍ତିଧାରୀ ସାଂବାଦିକମାନଙ୍କ ନିମନ୍ତେ ଏହାର ରଚ଼ନା ଓ ପ୍ରଯୋଜନା ଅଧିକ କାର୍ଯ୍ୟଭାର ସୃଷ୍ଟି କରୁଥିବା ହେତୁ କମ ସମୟ ଅବଧିରେ ପ୍ରକାଶନ ସଂଭବପର ନ ହୋଇପାରେ l ପୁଣି ନିଉଜଲେଟରର ପାଠ୍ୟ ଉଚ୍ଚମାନର ନ ହେଲେ ପାଠକୀୟ ଆଦୃତି ହରାଇବସିବା ତଥା ତୁରନ୍ତ ଜଙ୍କମେଲ ବା ଅନସବସ୍କ୍ରାଇବ ପର୍ଯ୍ୟାୟକୁ ଖସିଯିବା ଅଭିଜ୍ଞତା ଅରୁଚ଼ିକର ବୋଧ ହୋଇପାରେ l
ଏଭଳି ଏକ କାର୍ଯ୍ୟଧାରା ବା ରୋଡ଼ମ୍ୟାପକୁ ସାଧ୍ୟମତେ ବ୍ୟବହାରଯୋଗ୍ୟ କରିବା ସଂପୃକ୍ତ ବ୍ୟକ୍ତିବିଶେଷଙ୍କ କର୍ତ୍ତୃତ୍ୱାଧୀନ l ତେବେ ନିଜ ଅଧ୍ୟୟନର ସାରକଥା ବିତରଣ, ନିଜ ରଚ଼ନା ସଂପର୍କରେ ଅନ୍ୟକୁ ଅବଗତ କରାଇବା ତଥା ଅପର ବ୍ୟକ୍ତିବିଶେଷଙ୍କ ପ୍ରକାଶନର ସମୀକ୍ଷାରେ ଭାଗିଦାରୀ ସାମୂହିକସ୍ତରରେ ସାଂବାଦିକତାର ଗୁଣବତ୍ତା ବିକାଶ ଦିଗରେ ଯେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ l

ମନେରଖିବାକୁ ହେବ ଏହା ଏକ ପ୍ରସ୍ତାବିତ କାର୍ଯ୍ୟଧାରା ଏବଂ ଏପରି ଅନେକ କାର୍ଯ୍ୟଧାରା ପରିକଳ୍ପନା କରାଯାଇପାରେ l ତେବେ ଆଲୋଚ଼୍ୟ କାର୍ଯ୍ୟଧାରା ଉପଯୋଗ ଜଣେ ସର୍ଜନଶୀଳ ସାଂବାଦିକକୁ ଏକ ପରୀକ୍ଷିତ ଆଗ୍ରହୀ ପାଠକ ମଣ୍ଡଳୀସହ ଭାବବିନିମୟ ନିମନ୍ତେ ବିନା ଆର୍ଥିକ ପ୍ରତିବନ୍ଧକରେ ମଞ୍ଚଟିଏ ଗଢ଼ିତୋଳିବାରେ ସହାୟକ ହୋଇପାରିବ l ପୁନଶ୍ଚ ଏହି କାର୍ଯ୍ୟଧାରା ସମସ୍ତଙ୍କ ନିମନ୍ତେ ଉଦ୍ଧିଷ୍ଟ ନୁହେ, କିଛି ସଂଖ୍ୟକ ସର୍ଜନଶୀଳ ସାଂବାଦିକ ଏଥିରେ ଅଭ୍ୟସ୍ତ ହୋଇପାରିଲେ ଓଡ଼ିଆ ସାଂବାଦିକତାର ସାମାନ୍ୟ ଗୁଣବତ୍ତା ବିକାଶ ସଂଭବପର ହୋଇପାରିବ ବୋଲି ଆଶା କରାଯାଇପାରେ
***