ବୈଷୟିକ ପ୍ରଗତି ସାମାଜିକ ଆଙ୍ଗୀକରେ ନୂତନ ସଂଭାବନାମାନ ନେଇ
ପହଞ୍ଚିଥାଏ l ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡ଼ିଆ ମଞ୍ଚରେ ବ୍ଳଗ, ଫେସବୁକ, ଟୁଇଟର ଭଳି
ଉତ୍ପାଦ ପରକୁ ଇ-ମେଲ ନିଉଜଲେଟର ତଥ୍ୟ ବିନିମୟ କ୍ଷେତ୍ରରେ
ବିପୁଳ ପ୍ରତିଶୃତି ସହ ଅବତୀର୍ଣ୍ଣ ହୋଇଛି l ଏହା ମୁଖ୍ୟତଃ
ବ୍ୟାବସାୟିକ ଉନ୍ନୟନ ବା ବିଜିନେସ ପ୍ରମୋସନ କ୍ଷେତ୍ରରେ ବ୍ୟବହୃତ ହେଉଥିଲେ ହେଁ ବୌଦ୍ଧିକ
ଯୋଗାଯୋଗ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ l
ନିଉଜଲେଟର ସାମ୍ୱାଦିକତାର
ଅନ୍ୟତମ ପୁରାତନ ବିଭବ l ମୁଦ୍ରଣ ଯନ୍ତ୍ର ଉଦ୍ଭାବନ ପୂର୍ବରୁ
ବ୍ୟବସାୟ ଓ ରାଜକାର୍ଯ୍ୟରେ ହାତଲେଖା ପତ୍ରିକା ବ୍ୟବହୃତ ହେଉଥିଲା l
ଗୋଟିଏ ବ୍ୟାବସାୟିକ ପେଣ୍ଠରେ ବିଭିନ୍ନ ଦ୍ରବ୍ୟର ଦର ତାଲିକା ଅନ୍ୟ ବ୍ୟାବସାୟିକ ପେଣ୍ଠର
ବ୍ୟବସାୟୀଙ୍କୁ ହାତଲେଖା ପତ୍ରିକା ପତ୍ରବାହକଙ୍କ ମାଧ୍ୟମରେ ପ୍ରେରଣ କରାଯାଉଥିଲା l
ସେହିପରି ରାଜ୍ୟର ବିଭିନ୍ନ
ପ୍ରାନ୍ତରୁ ପ୍ରଶାସନିକ ବିବରଣୀ ରାଜାଙ୍କ ନିକଟରେ ପହଞ୍ଚୁଥିଲା l ଆମ ଦେଶରେ ମୋଗଲ ସମ୍ରାଟ ଔରଙ୍ଗଜେବ ନିଜ ଶାସନକାଳରେ ସାମ୍ରାଜ୍ୟର
କୋଣ ଅନୁକୋଣରେ ହାତଲେଖା ପତ୍ରିକା ଲେଖକ ଏବଂ ଅଶ୍ୱାରୋହୀ ପତ୍ରବାହକମାନଙ୍କୁ ନିଯୁକ୍ତି ଦେଇଥିଲେ
l
ଓଡ଼ିଶାରେ ଇଂଲିଶ ପ୍ରଶାସକମାନେ
ପହଞ୍ଚିବାପୂର୍ବରୁ ଅଧୁନା ଚୌଦ୍ୱାରଠାରେ ସ୍ଥାପିତ କୁଜୀବର ମଠରୁ ସାଧୁସୁନ୍ଦର ଦାସ ଭୁର୍ଜପତ୍ର
ଓ ହରିତାଳ କାଗଜରେ ହାତଲେଖା ‘କୁଜୀବର
ପତ୍ର’ ପ୍ରକାଶ କରୁଥିବା ପ୍ରମାଣ ମିଳେ l
୧୯୯୫
ମସିହା ବେଳକୁ ପାଶ୍ଚାତ୍ୟ ଭୂଖଣ୍ଡ, ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାରେ ଇ-ମେଲ ବ୍ୟବହାର
ଲୋକପ୍ରିୟ ହେବା ପୂର୍ବରୁ ବିଭିନ୍ନ ବିଷୟରେ ମୁଦ୍ରିତ ନିଉଜଲେଟର ଦୀର୍ଘ କାଳଧରି ପ୍ରଚଳିତ ଥିଲା
ଏବଂ ଅନେକ କ୍ଷେତ୍ରରେ ଏହା ଅର୍ଥ ଉପାର୍ଜନ ବା ମନିଟାଇଜେସନରେ ପର୍ଯ୍ୟବେସିତ ହୋଇପାରୁଥିଲା l ଅବଶ୍ୟ ଆମଦେଶରେ ବୃହତ ବ୍ୟାବସାୟିକ
ସଂଗଠନଗୁଡ଼ିକ ଦ୍ୱାରା ନିଉଜଲେଟର କେବଳ ଲୋକସଂପର୍କ ପତ୍ର ବା ପବ୍ଳିକ ରିଲେସନ ଟୁଲ ଭାବେ
ସୀମାବଦ୍ଧ ଥିଲା l
୨୦୧୦ ମସିହାରେ ଫିଲ କାପଲାନଙ୍କ
ଦ୍ୱାରା ବିକଶିତ ‘ଟାଇନିଲେଟର’
ସାଧାରଣକ୍ଷେତ୍ରରେ ଇ-ମେଲ ନିଉଜଲେଟର ବ୍ୟବହାର ଲାଗି
ପ୍ରଶସ୍ତକ୍ଷେତ୍ର ଉନ୍ମୁକ୍ତ କରିଥିଲା l ଏହାକୁ
୨୦୧୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରମୁଖ ବ୍ୟାବସାୟିକ ନିଉଜଲେଟର ବିତରକ ‘ମେଲଚିମ୍ପ’ ଅଧିଗ୍ରହଣ
କରିଥିଲେ l ତେବେ ପୂର୍ବବତ ‘ଟାଇନିଲେଟର’କୁ ବିଶ୍ୱବ୍ୟାପୀ ନିଃଶୁଳ୍କ ସେବା ଅବ୍ୟାହତ ରଖିଛନ୍ତି l ଏହି ମଞ୍ଚରେ ପ୍ରକାଶିତ ସମ୍ୱାଦସାରଭିତ୍ତିକ ‘ସ୍କିମ’
ନିଉଜଲେଟରର ୧୫ ଲକ୍ଷ ଗ୍ରାହକ ଥିବାବେଳେ ‘ଷ୍ଟ୍ରାଟଚ଼େରି’ ନିଉଜଲେଟରର ବାର୍ଷିକ ଗ୍ରାହକ ଚ଼ାନ୍ଦା ପ୍ରାୟ ସାତ ହଜାର ଟଙ୍କା
ନିର୍ଦ୍ଧାରିତ ହୋଇଥାଏ l
ଅଗ୍ରଣୀ ଓଡ଼ିଆ ସାମ୍ୱାଦିକ
ମଣ୍ଡଳୀ ବିକାଶରେ ଇ-ମେଲ ନିଉଜଲେଟର ମଞ୍ଚ ବ୍ୟବହୃତ
ହୋଇପାରିବ l ଏକ ପକ୍ଷରେ ଓଡ଼ିଆ ସାମ୍ୱାଦିକତା
ବିକାଶରେ ଆଗ୍ରହୀ ବ୍ୟକ୍ତିବିଶେଷ ଏହି ଇ-ମେଲ
ନିଉଜଲେଟର ସବସ୍କ୍ରାଇବ କରିବା ସହ ନିଜେ ମଧ୍ୟ ଇ-ମେଲ
ନିଉଜଲେଟର ପ୍ରକାଶ କରି ବିତରଣର ବ୍ୟବସ୍ଥା କରିପାରିବେ l
ଫଳତଃ ଏକ ନିର୍ଦ୍ଧିଷ୍ଟ ଚ଼ିନ୍ତାଧାରାରେ ବିଶ୍ୱାସ ରଖୁଥିବା ଗୋଷ୍ଠୀ ମଧ୍ୟରେ ଭାବ ଆଦାନ ପ୍ରଦାନ
ସଂଭବପର ହୋଇପାରିବ l କିଛି ସାମ୍ୱାଦିକ ପାଠକ ଓ ପ୍ରକାଶକ
ତଥା ଅନ୍ୟ କିଛି ସାମ୍ୱାଦିକ କେବଳ ପାଠକ ପର୍ଯ୍ୟାୟଭୁକ୍ତ ହୋଇ ଓଡ଼ିଆ ସାମ୍ୱାଦିକତାରେ
ଗୁଣବତ୍ତା ବିକାଶରେ ସଂପୃକ୍ତ ରହିପାରିବେ l
ଇ-ମେଲ
ନିଉଜଲେଟର ଉପଯୋଗରେ କେତେକ ପ୍ରତିବନ୍ଧକ ମଧ୍ୟ ଚ଼ିହ୍ନଟ କରାଯାଇପାରେ l ପ୍ରଥମତଃ ଇ-ମେଲ ନିୟମିତ
ବ୍ୟବହାରରେ ଅନଭ୍ୟସ୍ତ ସାମ୍ୱାଦିକମାନେ ଏଭଳି ପ୍ରଚ଼େଷ୍ଟାରେ ଉପକୃତ ନହୋଇପାରନ୍ତି l ଦ୍ୱିତୀୟତଃ ଏହି ରକମର ମାସମେଲ ଅନେକ ସମୟରେ କେତେକ ଇ-ମେଲ ମଞ୍ଚରେ ସ୍ପାମଭାବେ ପହଞ୍ଚୁଥିବା ହେତୁ ଗ୍ରହୀତା ଏହାକୁ ଖୋଜି
ବାହାର କରିନପାରିଲେ ପାଠକରିବା ସୁଯୋଗ ନମିଳିପାରେ l
ତୃତୀୟତଃ ଚର୍ଚ୍ଚିତ ଇ-ମେଲ ନିଉଜଲେଟର ପ୍ରକାଶନ ସଂପର୍କରେ
ରାଜ୍ୟର ସଂଖ୍ୟାଧିକ ସାମ୍ୱାଦିକଙ୍କୁ ଅବଗତ କରାଇବା ତଥା ସେମାନେ ସବସ୍କ୍ରାଇବ କରିବା କଳାକୌଶଳ
ଅକ୍ତିଆର କରିବା ହୁଏତ ତୁରନ୍ତ ଫଳପ୍ରଦ ନ ହୋଇପାରେ l
ତେବେ ଓଡ଼ିଆ ସାମ୍ୱାଦିକତା
ଡ଼ିଜିଟାଲାଇଜେସନ ଆଡ଼କୁ ମୁହାଁଉଥିବା ହେତୁ ସମସ୍ତ ସାମ୍ୱାଦିକ ଏହି ଧାରାରେ ଅଭ୍ୟସ୍ତ ହେବା
ନିମନ୍ତେ ପରିବେଶ ସୃଷ୍ଟିକରିବା ଜରୁରୀ ଆବଶ୍ୟକତାରେ ପରିଣତ ହୋଇଛି ଏବଂ ଏ ଦିଗରେ ସମସ୍ତଙ୍କଠାରେ
ଆଗ୍ରହ ଓ ଦକ୍ଷତା ଆଶା କରିବା ଅସମଚୀନ ମନେ ହୁଏନା l
ଇ-ମେଲ
ନିଉଜଲେଟର ଉପଯୋଗରେ କେତେକ ସୁବିଧାସୁଯୋଗ ଉପଲବ୍ଧ l
ପ୍ରଥମତଃ ‘ଟାଇନିଲେଟର’ ମଞ୍ଚରେ
ଏହା ଏକ ନିଃଶୁଳ୍କ ସେବା l ଅର୍ଥାତ
ଯେ କୌଣସି ବ୍ୟକ୍ତି ସ୍ୱାଧୀନଭାବେ ଆଗ୍ରହ ମତେ ଅନ୍ୟ କୌଣସି ବ୍ୟକ୍ତି ବା ସଂଗଠନ ଦ୍ୱାରା
ପ୍ରକାଶିତ ଇ-ମେଲ ନିଉଜଲେଟର ସବସ୍କ୍ରାଇବ କରି
ନିୟମିତ ଭାବେ ନିଜ ଇ-ମେଲ ଏକାଉଣ୍ଟରେ ପାଇପାରିବେ କିମ୍ୱା
ଅନସବସ୍କ୍ରାଇବ କରି ବିତରଣ ତାଲିକା ବା ସବସ୍କ୍ରାଇବର ଲିଷ୍ଟରୁ ବାଦ ହୋଇପାରିବେ l
ଦ୍ୱିତୀୟତଃ ଭୌଗଳିକ ସୀମାପାର
ସମବିଚ଼ାରଧାରାର ବ୍ୟକ୍ତିବିଶେଷଙ୍କ ସହ ସମକାଳରେ ଏହି ମାଧ୍ୟମରେ ଯୋଗାଯୋଗ ସଂଭବପର l ତଥ୍ୟ ବିତରଣପରେ ଗ୍ରହୀତାଗଣ ନିଜନିଜ ପ୍ରତିକ୍ରିୟା ମୂଳସୂତ୍ରକୁ
ପ୍ରେରଣକରିବାର ସୁବିଧା ରହିଛି l ଫଳତଃ
ଯୋଗାଯୋଗ ପରିଧି ବା କମ୍ୟୁନିକେସନ ସର୍କଲରେ ପୂର୍ଣ୍ଣତା ଚ଼ରିତାର୍ଥ ହୋଇଥାଏ l
ତୃତୀୟତଃ ଇ-ମେଲ ନିଉଜଲେଟର ରଚ଼ନାର ଆକାର କିମ୍ୱା ଗ୍ରହୀତାଙ୍କ ସଂଖ୍ୟାରେ କୌଣସି
ସୀମାନିର୍ଦ୍ଧାରିତ ନହୋଇଥିବାହେତୁ ଯୋଗାଯୋଗ ପ୍ରଯୋଜନାରେ ପର୍ଯ୍ୟାପ୍ତ ସ୍ୱାଧୀନତା ଉପଭୋଗ
କରିହୁଏ l
ସର୍ଜନଶୀଳ
ସାଂବାଦିକମାନେ ଓଡ଼ିଆ ସାଂବାଦିକତାର ଗୁଣବତ୍ତା ବିକାଶ ଉଦ୍ୟମରେ ପ୍ରତ୍ୟେକେ ‘ଟାଇନିଲେଟର’ ମାଧ୍ୟମରେ
ଏକ ଏକ ଇ-ମେଲ ନିଉସଲେଟର ପ୍ରଯୋଜନା କରିପାରିବେ l ବ୍ଳଗ ଓ ଫେସବୁକ ଭଳି ଏହା ଏକ ସଂପୂର୍ଣ୍ଣ ଶୁଳ୍କବିହୀନ ମଞ୍ଚ
ଏବଂ ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ବ୍ୟବହାର ଭଳି ବିଶେଷ ବୈଷୟିକ ଜ୍ଞାନ ଆବଶ୍ୟକ କରେନାହିଁ l ସୃଜନରେ ରୁଚ଼ି ରଖୁଥିବା କିଛି ସାଂବାଦିକଙ୍କୁ ନିଜନିଜ ନିଉଜଲେଟର
ସବସ୍କ୍ରାଇବରରୂପେ ଚ଼ିହ୍ନଟ କରିବା ନିମନ୍ତେ ଯତ୍ନବାନ ହୋଇପାରିବେ l
ପ୍ରଥମତଃ ସେମାନେ ଇଣ୍ଟନେଟରେ
ଗଣମାଧ୍ୟମ ସଂପର୍କୀତ ଯାହାସବୁ ଭଲ ରଚ଼ନା ପଢୁଛନ୍ତି ଏବଂ ଭାବୁଛନ୍ତି ଯେ ତାହା ଅନ୍ୟମାନେ
ପଢ଼ିବା ଉଚିତ, ତାହା ସଂପର୍କରେ ସାମାନ୍ୟ ସୂଚ଼ନା ଦେଇ ନିଜ ନିଉଜଲେଟରରେ ଲିଙ୍କ୍ ଉଲ୍ଲେଖ
କରିବେ l ଏହାଫଳରେ ଆଉ କିଛି ଓଡ଼ିଆ ସାଂବାଦିକ ନୂଆ କଥାଟିଏ
ଜାଣିପାରିବେ l
ଦ୍ୱିତୀୟତଃ ସେମାନେ
ନିର୍ଦ୍ଧିଷ୍ଟ ସମୟ ଅବଧିରେ ନିଜେ ଲେଖିଥିବା ବା ପ୍ରଯୋଜନା କରିଥିବା ଲେଖା ବା କାର୍ଯ୍ୟକ୍ରମର
ପ୍ରତିଲିପି କିମ୍ୱା ତାହାର ଲିଙ୍କ ନିଜ ନିଉଜଲେଟରରେ ପ୍ରକାଶ କରିପାରିବେ l ଆବଶ୍ୟକ ସ୍ଥଳେ ସେଭଳି କୃତୀ ପାଇଁ ତଥ୍ୟ ସଂଗ୍ରହ, ଶୈଳୀ ନିରୂପଣ ଓ
ପ୍ରଯୋଜନା ଅଭିଜ୍ଞତା ସଂପର୍କରେ ମଧ୍ୟ ଉଲ୍ଲେଖ କରିପାରନ୍ତି l
ଏହାଦ୍ୱାରା ଅନ୍ୟ କିଛି ଓଡ଼ିଆ ସାଂବାଦିକ କେତେକ ସଫଳ ରଚ଼ନା ଓ ତାହା ପ୍ରସ୍ତୁତିର ପୃଷ୍ଠଭୂମି
ସଂପର୍କରେ ଅବଗତ ହୋଇପାରିବେ l
ତୃତୀୟତଃ ସେମାନେ ପ୍ରତି ମାସରେ
ଥରେ ଓଡ଼ିଆ ଗଣମାଧ୍ୟମରେ ପ୍ରକାଶିତ ଏକ ରଚ଼ନା ବା ପ୍ରଯୋଜନାର ଗୁଣାତ୍ମକ ସମୀକ୍ଷା ବା କ୍ରିଏଟିଉଭ
ଏପ୍ରିସିଏସନ ନିଜନିଜ ନିଉଜଲେଟରରେ ପ୍ରକାଶ କରିପାରିବେ l
ଏହାଫଳରେ ଓଡ଼ିଆ ଗଣମାଧ୍ୟମରେ ପ୍ରକାଶିତ ରଚ଼ନାଗୁଡ଼ିକର ତୁଳନାତ୍ମକ ସମୀକ୍ଷାର ବାଟ ଖୋଲିବ ଓ
ସାଂବାଦିକମାନେ ନିଜ ସୃଷ୍ଟି ସଂପର୍କରେ ଗୁଣାତ୍ମକ ଦିଗରୁ ସଚ଼େତନ ହେବା ଅବକାଶ ସୃଷ୍ଟି
ହୋଇପାରିବ l
ଇ-ମେଲ
ନିଉଜଲେଟର ଗୁଡ଼ିକ ପାକ୍ଷିକ କିମ୍ୱା ସାମୟିକ ହେବା ଉଚ଼ିତ l
ବୃତ୍ତିଧାରୀ ସାଂବାଦିକମାନଙ୍କ ନିମନ୍ତେ ଏହାର ରଚ଼ନା ଓ ପ୍ରଯୋଜନା ଅଧିକ କାର୍ଯ୍ୟଭାର ସୃଷ୍ଟି
କରୁଥିବା ହେତୁ କମ ସମୟ ଅବଧିରେ ପ୍ରକାଶନ ସଂଭବପର ନ ହୋଇପାରେ l
ପୁଣି ନିଉଜଲେଟରର ପାଠ୍ୟ ଉଚ୍ଚମାନର ନ ହେଲେ ପାଠକୀୟ ଆଦୃତି ହରାଇବସିବା ତଥା ତୁରନ୍ତ ଜଙ୍କମେଲ
ବା ଅନସବସ୍କ୍ରାଇବ ପର୍ଯ୍ୟାୟକୁ ଖସିଯିବା ଅଭିଜ୍ଞତା ଅରୁଚ଼ିକର ବୋଧ ହୋଇପାରେ l
ଏଭଳି ଏକ କାର୍ଯ୍ୟଧାରା ବା
ରୋଡ଼ମ୍ୟାପକୁ ସାଧ୍ୟମତେ ବ୍ୟବହାରଯୋଗ୍ୟ କରିବା ସଂପୃକ୍ତ ବ୍ୟକ୍ତିବିଶେଷଙ୍କ କର୍ତ୍ତୃତ୍ୱାଧୀନ l ତେବେ ନିଜ ଅଧ୍ୟୟନର ସାରକଥା ବିତରଣ, ନିଜ ରଚ଼ନା ସଂପର୍କରେ ଅନ୍ୟକୁ
ଅବଗତ କରାଇବା ତଥା ଅପର ବ୍ୟକ୍ତିବିଶେଷଙ୍କ ପ୍ରକାଶନର ସମୀକ୍ଷାରେ ଭାଗିଦାରୀ ସାମୂହିକସ୍ତରରେ
ସାଂବାଦିକତାର ଗୁଣବତ୍ତା ବିକାଶ ଦିଗରେ ଯେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ l
ମନେରଖିବାକୁ ହେବ ଏହା ଏକ ପ୍ରସ୍ତାବିତ
କାର୍ଯ୍ୟଧାରା ଏବଂ ଏପରି ଅନେକ କାର୍ଯ୍ୟଧାରା ପରିକଳ୍ପନା କରାଯାଇପାରେ l ତେବେ ଆଲୋଚ଼୍ୟ କାର୍ଯ୍ୟଧାରା ଉପଯୋଗ ଜଣେ ସର୍ଜନଶୀଳ ସାଂବାଦିକକୁ
ଏକ ପରୀକ୍ଷିତ ଆଗ୍ରହୀ ପାଠକ ମଣ୍ଡଳୀସହ ଭାବବିନିମୟ ନିମନ୍ତେ ବିନା ଆର୍ଥିକ ପ୍ରତିବନ୍ଧକରେ
ମଞ୍ଚଟିଏ ଗଢ଼ିତୋଳିବାରେ ସହାୟକ ହୋଇପାରିବ l ପୁନଶ୍ଚ
ଏହି କାର୍ଯ୍ୟଧାରା ସମସ୍ତଙ୍କ ନିମନ୍ତେ ଉଦ୍ଧିଷ୍ଟ ନୁହେ, କିଛି ସଂଖ୍ୟକ ସର୍ଜନଶୀଳ ସାଂବାଦିକ
ଏଥିରେ ଅଭ୍ୟସ୍ତ ହୋଇପାରିଲେ ଓଡ଼ିଆ ସାଂବାଦିକତାର ସାମାନ୍ୟ ଗୁଣବତ୍ତା ବିକାଶ ସଂଭବପର
ହୋଇପାରିବ ବୋଲି ଆଶା କରାଯାଇପାରେ l
***
***
No comments:
Post a Comment