ସାମ୍ୱାଦିକତାର ଗୁଣବତ୍ତା ବିକାଶ ମୁଖ୍ୟତଃ
ସାମ୍ୱାଦିକମାନଙ୍କ ବ୍ୟକ୍ତିକେନ୍ଦ୍ରୀକ ଉଦ୍ୟମରେ ପର୍ଯ୍ୟବେସିତ l ସାମ୍ୱାଦିକତା ଏକ
ସର୍ଜନଶୀଳ କଳା ପର୍ଯ୍ୟାୟଭୁକ୍ତ ହେଉଥିବା ହେତୁ ସମ୍ୱାଦ ରଚନା ନିମନ୍ତେ ତଥ୍ୟ ସଂଗ୍ରହ,
ଉପସ୍ଥାପନା ଶୈଳୀ ନିୟୋଜନ ଓ ପାଠକୀୟ ଆଗ୍ରହ ତୁଷ୍ଟିକରଣ ଇତ୍ୟାଦି ପ୍ରତ୍ୟେକଟି କ୍ଷେତ୍ରରେ
ସାମ୍ୱାଦିକଙ୍କ ନିଷ୍ଠା ହିଁ ମୂଳତଃ ସହାୟକ ହୋଇଥାଏ l ଅବଶ୍ୟ ରଚନା
ପରବର୍ତ୍ତୀ ପର୍ଯ୍ୟାୟ ପ୍ରକାଶନ ଅବସରରେ ଉଚ଼ିତ ମଞ୍ଚ ଓ ପ୍ରଚ଼ାର ଆବଶ୍ୟକ ପଡିଥାଏ l ତେବେ ଉଚ୍ଚମାନର ରଚନା ବ୍ୟତିରେକେ ମଞ୍ଚ
ନିର୍ମାଣ ଓ ପ୍ରଚାର ଆୟୋଜନ ପାଠକୀୟ ସ୍ୱୀକୃତି ହାସଲ କରିପାରି ନଥାଏ l
ପ୍ରଶ୍ନ ଉଠେ ସାମ୍ୱାଦିକତା ବ୍ୟକ୍ତିକେନ୍ଦ୍ରୀକ ସର୍ଜନଶୀଳ
କଳା ରୂପେ ସମର୍ଥିତ ହେଉଥିବା ବେଳେ ଏହି କ୍ଷେତ୍ରରେ ଗୁଣବତ୍ତା ବିକାଶ ନିମନ୍ତେ ସାଂଗଠିନକ ପ୍ରଚ଼େଷ୍ଟା
କେତେଦୂର ପ୍ରାସଙ୍ଗିକ ?
ପ୍ରଥମତଃ ସର୍ଜନଶୀଳତା
ବ୍ୟକ୍ତିକେନ୍ଦ୍ରୀକ ହେଲେ ହେଁ ଏହାର ବିକାଶ କେତେକାଂଶରେ ପ୍ରକାଶନ-ପୂର୍ବ
ଓ ପ୍ରକାଶନ-ପର ସମୀକ୍ଷା ଓ ଆକର୍ଷଣୀୟ ଶୈଳୀ
ଉପଯୋଗରେ ନିର୍ଭରଶୀଳ l ଦ୍ୱିତୀୟତଃ ସର୍ଜନଶୀଳ ସାମ୍ୱାଦିକମାନେ
ସଂଗଠନ ଅନ୍ତର୍ଭୁକ୍ତ ହେଲେ ଏ କ୍ଷେତ୍ରରେ ରୁଚ଼ି ରଖୁଥିବା ଅନ୍ୟମାନଙ୍କ ସହିତ ଭାବ
ଆଦାନପ୍ରଦାନର ସୁଯୋଗ ସୃଷ୍ଟି ହୋଇଥାଏ l ତୃତୀୟତଃ
ବ୍ୟକ୍ତିଗତସ୍ତରରେ ଆହରଣ କରାଯାଉଥିବା ସର୍ଜନଶୀଳ ଅନୁଭବ ଓ ଉପଲବ୍ଧି ସୃଜନ ସମାଜରେ ବିତରିତ
ହେଲେ ତାହା ଅନ୍ୟମାନଙ୍କୁ ଉଦ୍ ବୁଦ୍ଧ କରେ ଏବଂ ସାମଗ୍ରିକଭାବେ ସାମ୍ୱାଦିକତାର ଗୁଣବତ୍ତା ବିକାଶରେ
ସହାୟକ ହୋଇଥାଏ l
ଅତଏବ ସାମ୍ୱାଦିକତା
ବ୍ୟକ୍ତିକେନ୍ଦ୍ରୀକ ଏକାନ୍ତ ସାଧନା ହେଲେ ହେଁ ସମଗୋତ୍ରରେ ଚଳପ୍ରଚଳ ସର୍ଜନଶୀଳତାକୁ
ପ୍ରୋତ୍ସାହିତ କରିଥାଏ l ସ୍ୱାଧୀନୋତ୍ତର ଦୁଇ ଦଶନ୍ଧିଧରି
ଓଡ଼ିଶା ସାହିତ୍ୟରେ ବହୁ ପ୍ରତିଭାଧାରୀ ଲେଖକଙ୍କ ଆବିର୍ଭାବ ଘଟିଥିଲା l ସେତେବେଳକୁ କଟକ ମୁଦ୍ରଣ ଓ ପ୍ରକାଶନର କେନ୍ଦ୍ରସ୍ଥଳ ଥାଏ l ଲେଖକମାନେ କହୁଥାନ୍ତି ଯେ କଟକ ଛାଡ଼ି ଗଲେ ଲେଖାଲେଖି ଆପେ ବନ୍ଦ
ହୋଇଯିବ l
କେତେକ ଲେଖକ ଅଧ୍ୟାପକ ଭଳି
ଚ଼ାକିରୀଛାଡ଼ି କଟକରେ ଅବସ୍ଥାନ ପାଇଁ କିରାନୀ ଚ଼ାକିରୀ ସାଦରରେ ଗ୍ରହଣ କରିଥିବା ଉଦାହରଣ ଅଭାବ
ନଥିଲା l କଟକରେ ରହିବା ଅର୍ଥାତ ଲେଖକ ପ୍ରକାଶକମାନଙ୍କ ସହ ସମୟ
କାଟିବା ଲେଖାଲେଖି ପାଇଁ ପ୍ରେରଣାର ସୁଯୋଗକୁ ବୁଝାଉଥିଲା l
ଅବଶ୍ୟ ପରିବର୍ତ୍ତିତ ପରିବେଶରେ
ପଚ଼ାଶ ବର୍ଷ ତଳର ସାହିତ୍ୟ ଖଟି ବର୍ତ୍ତମାନ ଆଶା କରାନଯାଇପାରେ l
ତେବେ ସାମୂହିକ ଆଲୋଚ଼ନା ବା ‘କନଭରସେସନ’ର ଗୁରୁତ୍ୱ ଲୋପ ପାଇଯାଇ ନାହିଁ l
ହାତପାଆନ୍ତାରେ ସାରାବିଶ୍ୱର ସୃଜନ ପାଣିପାଗର ବିବରଣୀ ଉପଲବ୍ଧ ହେଉଥିବାବେଳେ ସେ ସବୁର
ବିଶ୍ଳେଷଣରେ ସହାୟତା ପାଇଁ ଅଧିକ ସତୀର୍ଥ ଆଲୋଚ଼କଙ୍କ ଆବଶ୍ୟକତା ଅନୁଭୂତ ହେଉଛି l
ପାରମ୍ପରିକଭାବେ ସାମ୍ୱାଦିକତା
ତାଲିମ ଅଗ୍ରଜ-ଅନୁଜ ଭିତ୍ତିଭୂମିରେ ପ୍ରତିଷ୍ଠିତ
ହୋଇଥିବା ଇତିହାସ ପୃଷ୍ଠାରୁ ପଢ଼ିବାକୁ ମିଳେ l ଶିଶା ଅକ୍ଷର
ଯୋଡ଼େଇ ଛାପାଖାନାରେ ସାମ୍ୱାଦିକତା ତାଲିମ ପୃଫ-ସଂଶୋଧନ
ଓ ପୃଷ୍ଠା-ସଂଯୋଜନାରୁ ଆରମ୍ଭ ହେଉଥିଲା l
ବରିଷ୍ଠ ସାମ୍ୱାଦିକଙ୍କ ଅସଜଡ଼ା ଲେଖାକୁ ସଜାଡ଼ିବା ଶିଖି କନିଷ୍ଠମାନେ ସାମ୍ୱାଦିକତାରେ ପାଦ ଥୋଉଥିଲେ
l
ହୁଏତ ଆଜି ସେଭଳି ସୁଯୋଗ
ସୃଷ୍ଟି କରିବା ସଂଭବପର ହୋଇ ନପାରେ l ତେବେ
ଭାରଚୁଆଲ କାନଭାସରେ ତାହାଠାରୁ ଅଧିକ ଉନ୍ନତ ପରିବେଶ ସୃଷ୍ଟିଲାଗି ଉପାଦନ ଭରି ରହିଛି l ଏ ଭଳି ମତବାଦରେ ବିଶ୍ୱାସ କରୁଥିବା ସୃଜନ ଅନୁରାଗୀ ସାମ୍ୱାଦିକମାନେ
‘ଅଗ୍ରଣୀ ଓଡ଼ିଆ ସାମ୍ୱାଦିକ ମଣ୍ଡଳୀ’ରେ ଆସ୍ଥାନ ଜମାଇବା ନିମନ୍ତେ ଦ୍ୱାର ଉନ୍ମୁକ୍ତ l
ମୋର ବିଚ଼ାରରେ ଏଭଳି ଏକ ମଞ୍ଚ
ସଂପୂର୍ଣ୍ଣଭାବେ ଅଣଆନୁଷ୍ଠାନିକ ଭାରଚୁଆଲ ଭିତ୍ତିରେ ଗଢ଼ିଉଠୁ l
ଏହାର ବିକାଶରେ କୌଣସି ପାରମ୍ପରିକ ସାଂଗଠନିକ ଢ଼ାଞ୍ଚା ଉପଯୋଗ ନ ହେଉ l ସଭ୍ୟପଦ, କର୍ମକର୍ତ୍ତା, ସାମ୍ୱିଧାନିକ ମାନ୍ୟତା କିମ୍ୱା ଆର୍ଥିକ
ଦେଣନେଣର ବ୍ୟବସ୍ଥା ନ ରହୁ l ଓଡ଼ିଆ
ସାମ୍ୱାଦିକତାର ବିକାଶକଳ୍ପେ ସାମ୍ୱାଦିକମାନେ ପ୍ରସ୍ତାବ ବା ଏଜେଣ୍ଡା ଉପସ୍ଥାପନ କରନ୍ତୁ ଏବଂ
ତାହାର ବିଚ଼ାର ବିମର୍ଷ ଭିନ୍ନ ଭିନ୍ନ ମଞ୍ଚରେ ଆୟୋଜନ କରାଯାଉ l
ଯଥା : ବିଭିନ୍ନ ପତ୍ରପତ୍ରିକା, ଟେଲିଭିଜନ ବା
ଇଣ୍ଟରନେଟଭିତ୍ତିକ ଇମେଲ ନିଉଜଲେଟର, ବ୍ଳଗ, ୱେବିନାର ଇତ୍ୟାଦି l
ବିବିଧତା ବା ପ୍ଳୁରାଲିଜିମକୁ
ସମ୍ମାନ ଦିଆଯାଉ l କାରଣ ସମକାଳରେ ବୈଷୟିକ ଓ ସାମାଜିକ
ପରିବର୍ତ୍ତନ ଅତ୍ୟନ୍ତ କ୍ଷୀପ୍ରଗତିରେ ସଂଘଟିତ ହେଉଥିବା ହେତୁ କୌଣସି ବଦ୍ଧମୂଳ ଧାରଣାର
ବଶବର୍ତ୍ତୀ ହେବା ଭ୍ରାନ୍ତ-ମାନସିକତା
ବା ଡ଼ିଲ୍ୟୁଜନର ପର୍ଯ୍ୟାୟଭୁକ୍ତ ହୋଇସାରିଲାଣି l
ବିକେନ୍ଦ୍ରୀକରଣ ଲକ୍ଷ୍ୟରେ ମୋ’ ବିଚ଼ାର
ସହ ଅନ୍ୟମାନେ ସେମାନଙ୍କ ବିଚ଼ାର ଯୋଡ଼ନ୍ତୁ l କାର୍ଯ୍ୟଧାରା
କେମିତି ଆଗାଉଛି କିଛିକାଳ ପରେ ତନଖି ସଜାଡ଼ିନେବାର ସୁଯୋଗ ସବୁବେଳେ ରହିଛି l ଏହି ଲକ୍ଷ୍ୟସିଦ୍ଧିରେ ଇମେଲ-ନିଉଜଲେଟର
କିପରି ପ୍ରଭାବଶାଳୀ ଭୂମିକା ନିଭାଇପାରିବ ତାହା ଆସନ୍ତା ସପ୍ତାହରେ ବିଚ଼ାର କରିବି l
ବର୍ତ୍ତମାନ ଏଭଳି ସାଂଗଠନିକ
ପ୍ରକ୍ରିୟାପ୍ରତି ଡ଼କ୍ଟର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସନ୍ଦେହକୁ ଫେରିବା l ଓଡ଼ିଶା ବର୍ତ୍ତମାନ ଏକ ଗରିବ, ଗ୍ରାମବହୁଳ, ଶିକ୍ଷା ଓ
ସ୍ୱାସ୍ଥ୍ୟକ୍ଷେତ୍ରରେ ପଛୁଆ ତଥା ନେତୃତ୍ୱ ବିହୀନ ରାଜ୍ୟ l
ଏଭଳି ପରିବେଶରେ ପ୍ରଗତିଶୀଳ ଚ଼ିନ୍ତା ଉଧେଇବା ଅସଂଭବ l
ଏଠି ଜଣକ ସହ ଅନ୍ୟ ଜଣେ କାମ କରିପାରୁନି l
ରାଜ୍ୟପାଇଁ ସାମଗ୍ରିକଭାବେ ଏହା ସତ l କିନ୍ତୁ
ଏଠି କ’ଣ ଉଦାରମନା, ସଂଭ୍ରାନ୍ତ, ଜିଜ୍ଞାସୁ ବ୍ୟକ୍ତି ଚ଼ରିତ୍ର
ନାହାନ୍ତି ? ଅବଶ୍ୟ ଅଛନ୍ତି !
ସେ ହିଁ ନିଜେ କହିଥାନ୍ତି ଆମ
ସମାଜରେ ଦୁଷ୍ଟ ଚ଼ରିତ୍ରମାନେ କ୍ଷଣିକ ମଧ୍ୟରେ ଐକ୍ୟବଦ୍ଧ ହୋଇପାରୁଥିବାବେଳେ ଭଦ୍ର ସମାଜର
ଅସ୍ଥିତ୍ୱ ବାରି ହୁଏନି l ଅର୍ଥାତ ଭଦ୍ର ଲୋକ ଅସଂଗଠିତ ଅବସ୍ଥାରେ
ଅଛନ୍ତି ଏବଂ ସେମାନେ ତଥାକଥିତ କଳୁଷିତ ସାଂଗଠନିକ ଜୀବନ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି
ବୋଲି ବୁଝାଯାଇପାରେ l ଏକଥା ଓଡ଼ିଆ କାହିଁକି ଯେକୌଣସି
ବିକାଶୋନ୍ମୁଖୀ ସମାଜ ପାଇଁ ପ୍ରଯୁଜ୍ୟ l
ତେବେ ପୁଣି ଏକ ଉଦ୍ୟମ ଆରମ୍ଭ
କରିବାରେ କ୍ଷତି କ’ଣ ? ଓଡ଼ିଶା ଭଳି ରାଜ୍ୟରେ ସାରାଜୀବନ ଆମେ ବିଫଳତାର ପାହାଡ଼ରେ
ଛିଡ଼ା ହୋଇ ଆସିଛୁ l ପୁଣି ଗୋଟାଏ ବିଫଳତା ଆମ
ପାଇଁ କିଛି ଫରକ ଆଣିଦେବ ନାହିଁ !***
No comments:
Post a Comment